Unknown

 

 

 

 

 

 

 

 

 

ପାହାଚ ତଳର ଘାସ

ଗୋଦାବରୀଶ ମହାପାତ୍ର

 

ବହୁ ଦିନରୁ ବିଚ୍ଛିନ୍ନ ହୋଇପଡ଼ିଥିବା କେତେଗୁଡ଼ିଏ କବିତାକୁ ଏକାଠି କରାଯାଇଛି । ଦୀର୍ଘ ୨୫-୩୦ ବର୍ଷ ଭିତରେ ନାନା ଘଟଣାଚକ୍ରରେ, ସବୁ ଲେଖାଯାଇଥିଲା । ପ୍ରକାଶକ ଏହି କ୍ଷୁଦ୍ର ସଂକଳନକୁ ଆଗ୍ରହର ସହିତ ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଉଛି । ପାଠକମାନଙ୍କର ମନରେ ଏହା ଆନନ୍ଦ ଦେଇପାରିଲେ ଶ୍ରମ ସାର୍ଥକ ମନେକରିବି ।

 

କଟକ,

 

୧/୧/୧୯୫୮

ଲେଖକ

•••

 

ସୂଚୀପତ୍ର

 

୧.

ପାହାଚ ତଳର ଘାସ

୨.

ସବୁରି ଚିତ୍ତଚୋର

୩.

ବାରବାଟୀ-ବକ୍ଷେ

୪.

କେଉଁ ଦେଶେ ଅଛି ଭାଇ ?

୫.

ଦେଶ ପାଇଁ ଥିଲା ବାକୀ ଦଧୀଚି-ଜୀବନ

୬.

ବହିଯାଏ ନଈ

୭.

ମୋ ସମ୍ପଦ

୮.

ଶୂନ୍ୟ ମନ୍ଦିର

୯.

ଦୁଇଟି ସାଇ

୧୦.

ଚିନ୍ତା ପଧାନ

୧୧.

ପଲ୍ଲୀସନ୍ଧ୍ୟା

୧୨.

ଦୁର୍ଗମ ଯାତ୍ରୀ

୧୩.

କିମିତି ସହର ?

୧୪.

ନବବର୍ଷର ଜୟ

୧୫.

ଗ୍ରାମ ଦେବତା

୧୭.

ବର୍ଷାର ଜୟଯାତ୍ରା

୧୮.

ଗଉଡ଼ ଚିନ୍ତା

୧୯.

ପୃଥ୍ୱୀରାଜ ପତ୍ର

୨୦.

ଚିଲିକା-ବିହାର

୨୧.

ଉତ୍କଳ ମା’ର ସନ୍ତାନ ଆମେ

୨୨.

ହଳିଆ

୨୩.

ଲାଲ୍‍ କିଲା

୨୪.

ଗାଈ ଓ ଗରିବ

୨୫.

ମୁକ୍ତିଯାତ୍ରୀ ଗୋପବନ୍ଧୁ

୨୬.

ସାବରମତୀର ମହାମାନବର ଚରଣ ତଳେ

୨୭.

ଭଙ୍ଗାମାଠିଆର କଥା

୨୮.

ସଦେଇ ଜେନା

୨୯.

ପାଇକର ଯୁଦ୍ଧଯାତ୍ରା

•••

 

ପାହାଚ ତଳର ଘାସ

 

ଫୁଟିଛି ଫୁଲଟିଏ ପାହାଚ ତଳେ କାହିଁ,

ଘାସ କି ପାରିଜାତ ସେ କଥା କହୁ ନାହିଁ ।

ଖାଲି ସେ ଫୁଲଟିଏ, ଖାଲି ସେ ଫୁଟି ଶୋହେ,

ତା ରୂପ ବାସ ଗୁଣେ କାହାରେ ନାହିଁ ମୋହେ ।

ପ୍ରଭାତେ ପ୍ରଦୋଷ ଯେ ଚରଣଧୁଆ ପାଣି

ଝରଇ ଶିରେ ତାର, ପିଅଇ ସୁଧା ଜାଣି ।

ଚରଣଝଡ଼ା ଧୂଳି କପାଳେ ନିଏ ବରି

ସକଳ ଆବର୍ଜନା ତା’ପରେ ଥାଏ ପଡ଼ି ।

ଦେଖିଛି କେବେ ତା’ରେ ସେ କଥା ଅଛି ମନେ

ତୋଳିବି ବୋଲି କେବେ ବିଚାରି ନାହିଁ କ୍ଷଣେ ।

ଆସିଲା ମାଳୀ କାହୁଁ ଚାଙ୍ଗଡ଼ା ଧରି କରେ

ଆପେ ସେ ଫୁଲଟିକି ନେଲା ସେ ସରାଗରେ ।

ମୋ ଦେବ ମନ୍ଦିରେ ଥୋଇଲା ମନ ମୁଦେ

ସେ ଫୁଲ କଥା ତିଳେ ନ ପଡ଼େ କାହା ହୃଦେ ।

ଜୀବନ ଦେବତା ମୋ କରିବି ଅରଚନା

କେତେ ଯେ କରେ ତହିଁ ସାଧନା ଆରାଧନା ।

ବଢ଼ାଇ କର ଯେବେ ଧଇଲି ଫୁଲଡାଲା

ନିରେଖି ଚମକିଲି–ହାୟରେ, ଏ କି କଲା !

ମୋ ପଦତଳ ଫୁଲ ଦେବି ମୁଁ ଦେବତାରେ ?

କହିଲା ଫୁଲ ମୋତେ ନୀରବ-ସକାତରେ ।

ଚରଣ ପାଣି ପାଇ ବଢ଼ିଲି ଯେବେ ଦେବ

ଲିଭିଲି ସଫଳତା ଜୀବନ ଗଉରବ ।

ତୁମେ ମୋ ଦେବତା ହେ, ତୁମରି ଦେବତାରେ

ହେବି ମୁଁ ଲାଗି ବୋଲି ଥିଲା ମୋ ଏ କପାଳେ ।

ମୋ ଦେବ ଦେବ ବଦ ପୂଜିବା ଆଶେ ଦେବ

ଆସିଛି, କି ମାନସେ ଆନଟି ମନେ ଭାବ ?

ଧରିବା ଫୁଲ ମୋର ପଡ଼ିଲା ତଳେ ଖସି

ମୋ ଦେବ ଚରଣରେ ଦେଖିଲି ଅଛି ମିଶି !

•••

 

ସବୁରି ଚିତ୍ତଚୋର

 

ବାଜେ କରତାଳି, ବାଜେ ମାଦଳ,

ଥରିଉଠେ ନୀଳ ଗଗନ ତଳ,

ଗଣି ହୁଏ ନାଇଁ ଲୋକ-ଲହର

ପଥ ପ୍ରାନ୍ତର ଧାରେ,

ସବୁରି ବଦନେ ପୂରିଛି ଆଶା,

ପୁଲକି ଉଠଇ ମରମ ଭାଷା,

ପଡ଼ିଚି ଚହଲି ସବୁଜ ରସା

ବନ୍ଦନ ଗୀତିକାରେ ।

ଜନଗଣ ମନ କାମନା ଜାଣି

ବିଜେକଲେ ଅବା ଅଭୟପାଣି,

ଲୋଚନ କୋଣରେ ଉଠେ ଉଜାଣି

ସବୁରି ଅଧରେ କଥା,

ଶୋହେ କରେ କରେ କୁସୁମ ମାଳା,

ଦିଏ ହୁଳହୁଳି ପଳ୍ଲୀବାଳା,

ଉଶ୍ୱାସ ହୁଏ ପରାଣ ଭାରା

ଦର୍ଶନେ ଚିର ବ୍ୟଥା ।

ମାଳାଭାରେ ଗଳା ପଡ଼ିଚି ଲଇଁ

ସେ ତ କୋଟି ଜନ ପରାଣସାଇଁ,

କୁସୁମେ ଶ୍ମଶ୍ରୁ ଦେଇଚି ଛାଇ–

ଚିନ୍ତିତ ଭଗବାନ,

ନାଶିବେ ଦେଶର କଳି-କଳୁଷ,

ଯେତେ ଏ ଦଳିତ- ଦୀନ-ମଣିଷ

ଯୋଡ଼ି କର ଯୁଗ ଯାଚେ ଆଶିଷ–

ସୁନ୍ଦର ମହୀୟାନ !!

କେଉଁ ଗାଆଁ, କେଉଁ କୁଟୀର ଛାଡ଼ି

ଆସିଥିଲେ ବୁଲି ଦୁଇଟି ବୁଢ଼ୀ,

ସେ ଲୋକ ଗହଳେ ରହିଲେ ବୁଡ଼ି

କି ବା ସେ ଦେଖିଲେ ତହିଁ,

କିଏ ଗୀତ ଗାଏ, କିଏସେ ହସେ,

କାହା କାନେ କିଏ କି କଥା ଭାଷେ,

ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ–

କି କଥା ଦେଖିଲି ମୁହିଁ !

ସବାରି ଭିତରେ ଏ ବୁଢ଼ା ବର

ଏଥିପାଇଁ କିଆଁ ଏତେ ଚହଳ,

ଏତିକି ବାଜଣା, ଏତିକି ଗୋଳ

ମଲା ଯାଏ ଏତିକି ନାଟ !

ଏନ୍ତୁଡ଼ିଶାଳେ ନ ଚିପି ତୋଟି

କିଏ ରଖିଥିଲା କାହା ଝିଅଟି,

ଆଖି ଯାହା ଦେଖି ନଗଲା ଫୁଟି –

ଗାଆଁରେ ବସିଛି ହାଟ !!

କହିଲା ଆରେକ-ହୁଅ ଗୋ ତୁନି,

ବେଦୀରେ ବସିବ ଏ ବୁଢ଼ା ପୁଣି !

କୁଶେ ବାନ୍ଧିବେ କାହାରି ପାଣି,

କିଏ ସେ ଅଭାଗିନୀ !

ଏତେ ବରଜାତି, ଏଡ଼ିକି ଭିଡ଼,

ଏ ବୁଢ଼ା ବରକୁ ଏତିକି ମାଳ !

ଭିକମଗା ଆଜି ଛାଡ଼ିଲେ ଛାଡ଼,

ଦେଖିବା ଚାଲ ଗୋ ନାନି !

ବସିଲା ଏ କାଳେ ସେ ଜନ-ସଭା

ଜମାଟ ଧରିଲା ଜଳଦ ଅବା

ସଜ୍ଜିତ ପୀଠେ ହୋଇଲେ ଉଭା

ସେଇ ଚିନ୍ତିତ ବୀର,

ଅଭୟ ବରଦ ଶ୍ରୀକର ଟେକି

ବେଗ-ଉଦ୍‌ବେଳ ଜନତା ଦେଖି

କହିଲେ-ରହିଚି ଆହୁରି ବାକି

ଆଗେ ପଥ ବହୁ ଦୂର ।

ଚାଲ, ଚାଲ, ଆଜି ଚାଲରେ ବେଗେ,

ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ,

ମାନବ ଭିତରେ ଦେବତା ଜାଗେ,

ରମଣୀ ଭିତରେ ରମା,

ଉନ୍ନତ କର ଆନତ ଶିର

ଏଇ ତୋ ବିଜୟ-ପତାକା ଧର,

ଭୁଲ ତୋ ଭିତରେ ଆପଣା ପର,

ଛାଡ଼ ବନ୍ଧନ ସୀମା ।

ଏଇ ମାଟିତଳ ଦଳିତ ଜାତି,

ଏଇ ଧରଣୀର ଗଭୀର ରାତି,

ଏଇ ଏ ଜାତିର ପତଳା ଛାତି,

ଏଇ ମାଟିଘେରା ଗାଆଁ,

ଏଇ ଜନତାର ଏକଇ ଡାକେ

ଭେଦି ଗିରିବନ ଦିକ୍‌ବିଦିକେ

ନବ କଳେବର ନବୀନ ଲୋକ

ବାରେ ତୁ ଆଗକୁ ଚାହାଁ ।

ଏଇ ଯେ ଗାଆଁର ଗରିବ ‘ବିନ’,

ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’,

ଏଇ କୁଲି, ଏଇ ବାଉରି, ପାଣ,

ଏଇ ଭିକାରୁଣୀ ବୁଢ଼ୀ,

ଏଇ ତୋ ଜାତିର ଅସ୍ଥିମଜ୍ଜା

ନବୀନ ଜୀବନେ କର ତୁ ତାଜା,

ପର ବୋଲେ ତୁହି ନିଜେ ନ ହଜା,

ମରିବୁ ଅକୂଳେ ବୁଡ଼ି ।

 

କରତାଳି ତାଳ ଉଠିଲା ନାଚି;

ସନ୍ଧାନ କଲେ ସବ୍ୟସାଚୀ

ପ୍ରତିମନ ତଳେ ବଚନ ଯୋଚି,

ବିଜୁଳି ଖେଳିଲା ସତେ !

ଦେଲେ ହୁଳହୁଳି ରମଣୀକୁଳ,

ଚମକିଲା ନର-ସାଗର କୂଳ,

ସେଇ ସମାକୁଳ ଭକ୍ତକୂଳ

ବନ୍ଦିଲେ ଯୋଡ଼ ହାତେ ।

 

ସେ ସଭାପ୍ରାନ୍ତେ ଦୁଇଟି ବୁଢ଼ୀ

ପଳିତ ଗଣ୍ଡେ ଲୋତକ ଢାଳି

ଯୋଡ଼ି କରଯୁଗ କହିଲେ ଖାଲି–

ଆହା ଲୋ ଭଉଣୀ ମୋର,

ଏଇ ଯେ ବେଦୀରେ ବସିଚି ବର

ଏ ବର ନୁହେ ତ ଜଣେ କାହାର,

କାହା ହୃଦମଣି କାହା ଦୋସର –

ସବୁରି ଚିତ୍ତଚୋର !!

 

(ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀସଭାକୁ ଗଲାବେଳେ ଏହି କୌତୁକାବହ ଘଟଣାଟି ଘଟିଥିଲା । ଦୁଇଟି ବୁଢ଼ୀ ତାଙ୍କୁ ସବାରିରେ ଯିବା ଦେଖି ଜଣେ କିଏ ବର ବିଭା ହୋଇଯାଇଛି ବୋଲି ମନାକରି ସଭାକୁ ଯାଇଥିଲେ ।)

•••

 

ବାରବାଟୀ-ବକ୍ଷେ

 

ଉତ୍କଳ ବୁକେ ପାନିପଥ ମୋର, କଥା କହ ବାରେ ବାରବାଟୀ

ରକ୍ତ ଉଜଳ କୋହିନୂର କଣା ଧୂଳି ତୋର, ଖାଲି ନୁହେଁ ମାଟି ।

ଦମ ଦମ ବୁକୁ-ତଳେ ଉନ୍ମୁଖେ ଶମଶାନ ନିଆଁ ଉଠେ ଜଳି,

ସଙ୍ଗୀତ ମୋର ଯଉବନ ବନେ କମ୍ପନ ଆଣେ ତାନ ତୋଳି ।

ଅସ୍ତ ଶିଖରୀ ପରପାରେ ରବି ଯାଆନା, ଯାଆନା ଚାହାଁ ଥରେ,

ଢାଳି ଦେ’ରେ ତୋର ତରଳ-ଅନଳ-ଗରଳ ଏ ମୋର ଅନ୍ତରେ ।

ଉଦ୍‌ଗାରି ବିଷ ଏ ମଡ଼ା ମଣିଷ-ଦେଶେ ବସି ଗୀତ ଗାଇ ସାରେ

ହସାଇ ପାଷାଣ, ପ୍ରେତ ପ୍ରତିମାରେ ମରଣ ମଧୁର-ଅଭିସାରେ ।

ବାରବାଟୀ ମୋର ଜୀବନ-ତୀର୍ଥ, ମହିମା-କ୍ଷେତ୍ର ଓଡ଼ିଶାର,

ବିପୁଳ ଗର୍ବ କରିଲୁ ଖର୍ବ କେତେ ରାଜା କେତେ ବାଦଶାର ।

ଟଳିଲା ଭୂଧର, ଭେଦି ପାରବାର ଚଳିଲା କେତେ ଯେ ରଣ-ଡରୀ

ଅକୂଳ ବିହାରେ, ଗଜପତି କରେ ଉଡ଼ିଲା କେତନ ଥରି ଥରି ।

ଝମ୍‌ ଝମ୍ ଯେବେ ବୀର ଗଉରବେ କର-କରବାଳ ଥରେ ଥରେ

ଜାହ୍ନବୀ ତୀରୁ ପାନ୍ନାର ପାରେ ଚମକାଇ ଦେଲା ଯବନରେ ।

ବାରବାଟୀ ମୋର ଓଡ଼ିଶା ଚିତୋର ! ବୁକୁଚିରା ତୋର ସଙ୍ଗୀତ

ଦୁଃଖ-ଶୋକରେ ମରଣ-ଲୋକରେ ଜାଳିଲା ଜୀବନ ଇଙ୍ଗିତ ।

ମଡ଼ା ପରେ ବସି ଆସ ବିଶ୍ୱାସି, ଗଣିବା ଏ ରେଣୁ ଗୋଟି ଗୋଟି,

ଏ କ୍ଷୀଣ ରେଣୁରେ ଜୀବନ ବେଣୁରେ ଗାଇ ଉତ୍କଳ ଜୟଗୀତି ।

ଏ ବାୟୁ ଲହରେ ପାଇକ ବିହରେ, ପାଇକ ତରୁଣୀ କହେ କଥା,

‘‘ଏ ମଧୁ ଅଧରେ ଚୁମ୍ବନଭାରେ ଅସି ତଳେ ପତି ଦେଲେ ମଥା !’’

ଜଳ ଜଳ ଜଳ, ଜଳରେ ଅନଳ, ଉଠ ଆଗ୍ନେୟ-ଗିରି ତଳୁ

ଶତ ବରଷର କୋଟି କଙ୍କାଳ ରୁଦ୍ଧ ବାସନା ଫିଟି ପଡୁ ।

ଉଛୁଳୁ ରୁଧିର ବୀର ବାରିଧିର ପ୍ରାଣ ମନ୍ଦିର ଚହଲାଇ

ମରଣ-ଶଙ୍ଖ ଚିର ନିଃଶଙ୍କ ବାଜୁ ଚଞ୍ଚଳ, ବେଳ ନାହିଁ !

•••

 

କେଉଁ ଦେଶେ ଅଛି ଭାଇ ?

 

ଫୁଲ ଫୁଟି ଫୁଲ ଝଡ଼ି ତ ଗଲାଣି

ଭଅଁର ଗଲାଣି କାହିଁ,

ଭାଇ ଗଲା କାହିଁ ନ’ଇଲା ଫେରି ଲୋ

ତା ଫୁଲ ତୋଳିବା ପାଇଁ ।

ତିନି ପଖ ତଳେ ଏ ମକମଲିଟି

ଥିଲୁ ଆଗଣାରେ ପୋତି

ପାଣି ଢାଳୁଥିଲୁ ସାନ ଢାଳଟିରେ

କୁଣ୍ଡୁ ଆଣି ନିତି ନିତି ।

ପତ୍ର କଅଁଳିଲା, କଢ଼ି ସେ ଧଇଲା

ସଞ୍ଜବେଳେ ଭାଇ ତୁଲେ

କେତେ କଥା ହୋଇ ଶୋଇଲୁ ଶେଯରେ

ଉଠିବୁ ବୋଲି ସକାଳେ ।

ଶୋଇ ଭାଇ ମୋର ଉଠିଲା ନାହିଁ ଲୋ,

ଏ କି ନିଦ ଗଲା ଘୋଟି,

କେତେ ମୁଁ ଡାକିଲି ଉଠିଆ ବେଗେରେ

ଫୁଲ ଫୁଟେ ଗୋଟି ଗୋଟି ।

କହିଲି ଦୋସର– ନ ଗଲେ ମୋ ତୁଲେ

ପାଣି ମୁଁ ନ ପାରେ ଦେଇ,

ମଳା କରି ମଳା ବନ୍ଧ କେ ବାନ୍ଧିବ,

ହାତ ଆଞ୍ଜୁଳାଟି ନେଇ ?

କଅଁଳ ପତରେ ଆଉଁଶି ଆଉଁଶି

ପୋଛିଦେବ କିଏ ମାଟି,

କିମିତି ନିଦ ସେ ଶୋଇଲା ବୋଉ ଲୋ

ନ ଶୁଣିଲା ମୋର ପାଟି ?

ନିତି ପଡ଼େ ଖରା, ଅନ୍ଧାର ଆସଇ

ନିତି ନିତି ଏହି ଭଳି,

ନିତି ନିତି ମୁହିଁ ପାଣି ଦେଉଥାଇ

ଗଛଟି ଆମର ବୋଲି ।

ନିତି କି ଏଭଳି ଡାକି ମୁଁ ବସିବି

ଥିବ ସେ ଗାଲେଇ କାହିଁ,

ଜାଣିଥିଲେ ବୋଉ ବତେଇ ଦେଏ ଲୋ

କେଉଁ ଦେଶେ ଅଛି ଭାଇ ?

ଏକାଟି ବୋଉ ମୁଁ ଶୋଇ ନ ପାରେ ଲୋ

ଶେଯ ଏ ପଡ଼ିଚି ଖାଲି,

ନିଛାଟିଆ ବଡ଼ ଲାଗୁଚି ଏ ଘର

କୁନି ପାଖେ ନାହିଁ ବୋଲି ।

ଦୀପ ଲିଭିଗଲେ ଅନ୍ଧାର ଆସଇ

ଭାଇ ତ ଆସଇ ନାହିଁ,

ରାତି ଅଧେ କେତେ ସପନ ଦେଖେଇ

କେତେମନ୍ତେ ଭାଇ ପାଇଁ ।

ଗୀତ ଗାଇ ଶୋଇ ପଡୁଥିଲୁ ଦୁହେଁ

ଗୀତ ମନେପଡ଼େ ଆଜି-

ରାଇଜର ରଜା ଶୀକାର କରନ୍ତି

ବଣରେ ବାଣୁଆ ସାଜି ।’

ଖନେଇ ଖନେଇ ଗୀତ ଗାଉଥାଇ,

ମୁଁ କହେ ପ୍ରଭୁ ହେ ମୋର,

କୁନି ଭାଇଟିକି ବୁଢ଼ା କରିଥାଅ

ବଡ଼ ଭଉଣୀ ମୁଁ ତାର ।

କାହାପାଇଁ ଆଉ ଗାଇବି ଏ ଗୀତ,

କହ କହ ବୋଉ ମତେ,

କୁନି କି ଶୋଇଛି ଆମ ଘରୁ ଯାଇ

ଆଉ କେଉଁ ପୁରେ ସତେ ?

କୁନି କି ରହିଚି ଗହନ ବନରେ

ପତ୍ର ଗହଳରେ ଶୋଇ,

ବାଘ-ଭାଲୁଙ୍କର ସାଥୀ ସଙ୍ଗାତ କି

ହୋଇଚି ମୋ ସାନ ଭାଇ ?

ଏକା ଶେଯେ ମୁହିଁ ଶୋଇ ତ ନ ପାରେ

ସତ ନ ଜାଣିଲି କଥା,

କି ଘଟିଚି, ଭାଇ ରହିଚି କାହିଁ ଲୋ

ଗୋଟି ଗୋଟି ମତେ ବତା’ ।

ଝିଙ୍କାରି ଡାକଇ ବାଡ଼ି ବରଗଛେ

ପବନ ବହଇ ଖରେ,

ବିଲମାଳ ଆଜି ବାରି ନୋହୁଛି ଲୋ

ଏଡ଼େ ବଡ଼ ଖରାବେଳେ ।

କୁଆ କୋଇଲି ସେ କାହିଁ କେଉଁ ବଣେ

ରହିଛନ୍ତି ହୋଇ ତୁନି,

ମୁଁ ସିନା ଏକାଟି ବସି ବାଡ଼ିଘରେ,

ଭାଇ ନାଁ ହେଉଚି ଗୁଣି ।

କୁନି ବାଛୁରୀଟି ବେକ ଘଷେ ଆସି,

କରେ କେତେ କଊତୁକ,

ଏ କଉତୁକକୁ ଭାଇକି କିଏ ଲୋ,

ବେଗେ ମୋ ପାଖକୁ ଡାକ ।

ଧୂଳି ପଡ଼ିଅଛି, ଘାଣ୍ଟିବାକୁ ନାହିଁ,

ବାଡ଼ି ପଡ଼ିଅଛି ଖାଲି,

ଗଦା ଗଦା କରି ଜମା ମୁଁ କରିଛି,

ସକାଳୁ ବୋହି ଏ ବାଲି ।

ଖେଳି ନ ପାରେ ମୁଁ ଏକାକୀ ବୋଉ ଲୋ

ବସି ନ ପାରେ ମୁଁ ଚାହିଁ,

ଧାଇଁ ନ ପାରେ ମୁଁ ତା ବିନା ପାଦେକ,

ପାଟିରେ ନ ପାରେ କହି ।

ଉଛୁର ହେଲାଣି, ଆଖିରେ ଦେଲାଣି

ଭରତି କରି କେ ଲୁହ,

ଦେଖା କି ନୋହିବ ଏ ଲୁହ ବୋହିବ

ଭାଇ ତୁଲେ ବେଗେ କହ ।

‘କେତେ ଡାକୁ ଧନ’, କହିଲା ତା ବୋଉ -

ଯାଇଛି ସେ ଦୂର ଦେଶେ,

ଆକାଶର ତାରା ରବି, ଶଶି ପରି

ସୁନ୍ଦର ଉଜଳ ଦିଶେ ।

ଫୁଟିଥିବା ଫୁଲ, ଝଡ଼ି ସେ ପଡ଼ିଲା

ଅନ୍ଧାରେ ମିଶିଲା ଖରା,

ସରଗ-ନିଧି ସେ ହେଲାଣି ଏବେ ଲୋ

ନ ଦେବ ତୋ ହାତେ ଧରା !

ବରଷା-ରାତିରେ ଦୂର ମେଘ ତଳେ

ବିଜୁଳି ହସଇ ଯହିଁ,

ତହିଁ ଆରପାଖେ ଭାଇ ବସି ତୋର

ଦେଖୁଥିବ ସବୁ ତହିଁ ।

ବେଳ ବୁଡ଼େ ଯେବେ ପଶ୍ଚିମ ଗଗନେ

ସିନ୍ଦୂର ଉଠଇ ଖେଳି,

ନିମିଷକ ପାଇଁ ଦେଖାଦେଇଥାଏ

ସେତିକି ବେଳେ ତୋ ଭାଇ ।

ସୁଲୁସୁଲୁ ଯେବେ ବାଆ ବହି ଆସେ

କେଉଁ ବଣଗିରି ତଳୁ,

ବାସ ବହି ଆସେ ବାନ୍ଧିଥିଲି ଯେଉଁ

ଫୁଳମାଳ, ଧନ ଗଳୁ, ।

କୋଇଲେ ଗାଇଲେ ଗଛ ଗହଳିରେ

ଧନ ତାର କଣ୍ଠେ ବସି,

ତୋ କାନେ ଧନ ଲୋ ଗୀତଟି ଶୁଣାଏ

କେତେ ରୂପେ ହସି ହସି ।

ପୁଣି ସେ ପଚାରେ ଦେଖାଦେବ ନାଇଁ

ଆଉ ଏ ଆଖିରେ ଥରେ ?

ଗୋରା ତକତକ ସେ କୁନି ଦେହଟି

ଢଳି ଢଳି ହାସଭରେ ।

ଏତିକି ଖେଳ କି ସରିଲା ଏଠାରେ

ବାଲି ପଡ଼ିଥିବ ଖାଲି,

ପାଣି ଦେଇ ଫୁଲ ଫୁଟାଉଥିବି ମୁଁ

ଆସିବ ଆସିବ ବୋଲି ।

ଖରା ଯାଉଥିବ ଅନ୍ଧାର ଆସିବ

ଆବର ଆସିବ ଖରା,

ଛାଡ଼ି ଘଡ଼ଘଡ଼ି କଳା ମେଘ ତଳୁ

ଝରିବ ବରଷା ଧାରା ।

ଥାଉ, ଯେବେ ଭାଇ ରହିଚି ସୁଖେ ଲୋ

ଏଥୁ ବଳି ସନମାନେ,

କି ଲାଗି ଆଉ ମୁଁ ଡାକିବି ଭାଇକି

ନିତି ନିତି ଅଭିମାନେ ?

ପୁଣି ବୋଉ କହେ ଦେବତା କୁନିଏ

ଥିବେ ତାର ତୁଲେ ଖଳି,

ବିଜୁଳିଟି ତହିଁ ଦୀପ ହୋଇଥିବ,

ଆମ ଦୀପଠାରୁ ବଳି ।

ସୁଖେ ଥାଉ ଆହା ତୋ ସାନ ଭାଇଟି

ସେ ଦୂର ସରଗ ଦେଶେ,

ଆହୁରି ଅଧିକ ଗୋରା-ଜର ଜର

ହାସ ଢଳଢଳ ବେଶେ ।

•••

 

ଦେଶ ପାଇଁ ଥିଲା ବାକୀ ଦଧୀଚି-ଜୀବନ

 

‘‘ପୁଅ ମୋର ଫେରିଗଲା ମରଣକୁ ଡରି ?’’

ଅଚେତା ହୋଇ ସେ ବୁଢ଼ୀ ପଡ଼ିଲା ଝାଉଁଳି ।

କିଏ ଆସି କହିଦେଲା ତା ପୁଅ ବାରତା,

କିଏ କହିଗଲା ଆସିଗଲା ଦିନ କଥା

ଏକଇ ସନ୍ତାନ, ବୁଢ଼ୀ ଦେଇଥିଲା ଛାଡ଼ି

ସ୍ୱଦେଶ-ଗରବେ ତାର ଉପହାର ବୋଲି

ନ ନୋଇଁବ ମଥା ଦେଶ ବଇରୀ ଚରଣେ–

ଦେଇଥିଲା ପୁଅକୁ ସେ ଛାଡ଼ି ଘୋର ରଣେ ।

ଫେରିବ ସମରୁ ଅବା ଦେବ ଯୁବା ଶିର

ଦେଇଥିଲା ହସି ତାର କରେ କରବାଳ ।

କିଏ ଆସି କହିଗଲା ସେ ଦିନ କାହାଣୀ

ମରଣକୁ ଡରି ପୁଅ ଯୁଦ୍ଧ ଛାଡ଼ିଲାଣି !!

ଥର ଥର ଥର ବୁକୁ, ବୁଢ଼ୀ ଭାଳେ ବସି -

‘ଥିଲା ଟିକିଏ ରକତ ସେ ଦେହରେ ମିଶି ?

ପାଳିଥିଲି ଏଇ ମୋର ସ୍ତନ୍ୟ ଦେଇ କୋଳେ

ମରଣକୁ ଡରିବାକୁ ଦେଶ ଯିବାବେଳେ ?

କାଟିଦେବି ସ୍ତନ୍ୟ ଦୁଇ, ଯାଉ ପ୍ରାଣ ଉଡ଼ି,

ମରଣକୁ ଡରି ପୁଅ ଯୁଦ୍ଧ ଦେଲା ଛାଡ଼ି !’

ମୁକୁଳା କୁନ୍ତଳ ରାଶି ଦୁଇ ପାଶେ ଦୋଳେ,

ତରବାରି ଧରି ବୁଢ଼ୀ ଧାଇଁଲା ବ୍ୟାକୁଳେ ।

ଲାଗିଥିଲା ଯୁଦ୍ଧ ଯହିଁ, ହସୁଥିଲା ଅରି–

ପୁଅ ନାମ ଧରି ଡାକେ ପାଗଳିନୀ ପରି ।

ଚମକି ଦେଖିଲା ପୁଅ ଶୋଇଛି ଭୂତଳେ

ଶିରଗୋଟି କଟିଛି ତା’ କାହା କରବାଳେ ।

ବଇରୀ ସମ୍ମୁଖେ ପୁଅ ତେଜିଛି ଜୀବନ,

ହସି ହସି ବୁଢ଼ୀ କଲା ଅଶ୍ରୁ-ବରଷଣ ।

ଦେଶ ପାଇଁ ଦେଇଛି ସେ ହସି ଆତ୍ମବଳି,

ଦେଶର ଗରବେ ତାର ଭାଗ ଅଛି ବାଢ଼ି ।

ଦେଶ-ଇତିହାସେ ତାର ରଖିଅଛି ନାମ

ସହସ୍ର ସୋଦର ପାଶେ ପରମ ଦମ୍ମାନ ।

ଦପ ଦପ ବୁଢ଼ୀ ଛାଡ଼ି, କରେ କରବାଳ–

ମରଣେ ବରିବା ପାଇଁ ଜୀବନ ଚଞ୍ଚଳ ।

ହସି ହସି ଦେଲା ତାର ଶେଷ ଶ୍ୱାସ ଛାଡ଼ି

ଧନ ମୋର ! ପୁଅ ମୋର ! ମୋ ସ୍ୱଦେଶ ବୋଲି !

ଚକିତେ ଚାହିଁଲା ଅରି, ଚାହିଁଲା ଭୁବନ–

ଦେଶପାଇଁ ଥିଲା ବାକୀ ‘ଦଧୀଚି-ଜୀବନ’ ।

•••

 

ବହିଯାଏ ନଈ

 

କି ଦୂର ରାଇଜୁ ବହିଆସ ନଈ

ବାରେ କି କହିବ ମୋରେ,

ଏ ଲୋକ ଲହରୀ କୁଳୁ କୁଳୁ ତାନେ

ଲୀଳା ରଚି ଅବହେଳେ ।

ତବ ଜନ୍ମଭୂଇଁ କିବା ସେ ଶିଖର

ଦୂରୁ ଦୂରତର ଥାନେ,

ଗହନ କାନ୍ତାର ଡେଇଁ ପର ପାରେ

ଦେଖିନାହିଁ ଏ ନୟନେ ।

ଖେଳନ୍ତି କି ତବ ଜନମ-ଭୂଇଁରେ

ଏଭଳି ବାଳକଦଳ,

ମୁଖେ ହାସ, ନେତ୍ରେ ଚାହାଣୀ ନଚାଇ,

ପଦ ତଳେ ଶତଦଳ ?

ପ୍ରବୀଣେ କି ତବ ଜନ୍ମପୀଠେ ବସି

ଦେଖନ୍ତି ସପନରାଶି,

ମିଶିଆସୁଥାଏ ଯେବେ ଦିବାଲୋକ

ନିଶାରାଣୀ ବିଶ୍ୱଗ୍ରାସୀ ?

କୁଳୁ କୁଳୁ କୁଳୁ କହଇ ଶାଳିଆ-

ଅମୃତ ପଡ଼ଇ ଝରି

ସେ ମୋ’ ଜନ୍ମପୀଠେ ଫୁଲ ଫୁଟେ ସଦା

ବହି ତୁମ ମୁଖଶିରୀ !

ଏଡ଼େ ତର ତର କିପାଇଁ ନଈ ଗୋ !

ବାରେ କି ନ ହେବ ଥିର,

ବାରେ ଏ ଚପଳ ସ୍ରୋତ ଆଜି ସତେ

ନ ଶୁଣିବ ଆମ ଗୀର !

ଫୁଟେ ଯହିଁ ଫୁଲ ସେ ବେଶେ ତଟିନୀ,

ଆଗୋ ସ୍ନେହମୟି ! ଥରେ,

ନେଇ କି ପାରିବ ନାହିଁ ତହିଁ ବାରେ

ସପନ-ମଧୁରପୁରେ ?

ସେ ଫୁଲ ଅଧରେ ଅଧର ମିଳାଇ

ଆମେ ଏ ବାଳକକୁଳ,

ଫୁଟନ୍ତୁ ନିମିଷେ, କହ ଶାଳବତୀ,

ଦେଖି ସ୍ୱପ୍ନ ସୁମଧୁର ।’’

ତରଙ୍ଗ ଦୋଳରେ ଦୋଳି କହେ ନଈ

‘‘ନାଇଁ, ନାଇଁ, ନାଇଁ, ନାଇଁ,

ଜୀବନର ସ୍ରୋତ ଫେରି ନ ପାରଇ,

ଫେରି ନ ପାରିବି ମୁହିଁ ।’’

‘‘ଯାଆ କାହିଁ ତେବେ,’’ ଡାକନ୍ତି ଶିଶୁଏ–

‘‘କାହିଁ ଯାଅ ତରଙ୍ଗିଣୀ,

ଶେଷ ହେବ ଯେବେ ଏ ଯାତ୍ରା ସୁଦୂରେ

ରହିବ କି ହୋଇ ତୁନି ?

ସାରା ଜୀବନରେ ଶ୍ରାନ୍ତି କି ବିଶୋରି

ଶୋଇବ ଅନନ୍ତ ସୁଖେ,

ଜାଣି କି ନ ପାରୁ ଆମେ ଶିଶୁକୁଳ

ସେ ଦେବ-ବାଞ୍ଚିତ ଲୋକେ ?

ସେ ସ୍ୱପ୍ନ-ରାଇଜେ ଆମ ପାଇଁ ସୁଖ

ସପନ କି ନାହିଁ ଥୁଆ ?

ବୁଡ଼ି କି ନ ପାରୁ ସେ କନକ ଦେଶ

ଅମୃତ ସାଗରେ, ଆହା !’’

ଧାଇଁ ଧାଇଁ ଗୀତ ଗାଇ ଶାଳବତୀ

କହଇ ମଧୁରେ ରାଇ–

‘‘ଭେଟିବ ଶିଶୁଏ ସେ ଶୁଭ-ରାଇଜ

ଯାତ୍ରା ଶେଷେ ଦିନେ ଯାଇ ।

ସ୍ନେହ ଭକ୍ତି ପ୍ରେମ ପୀରତିରେ ଗଢ଼ା

ସେ ଅମର ଶାନ୍ତି-ଦେଶ,

ତୁମ ପୁଣ୍ୟ ପ୍ରାଣ ଶୂନ୍ୟ ହେବ ନାହିଁ,

ନ ଜାଣିବ ଦୁଃଖ ଲେଶ ।

ବହିଯାଏ ମୁହିଁ, ବହିଯାଅ ତୁମେ

କାଳ-ତରଙ୍ଗିଣୀ କୋଳେ,

ଏକୁ ଏକ ବଳି ଲହରୀ ପରାଏ

ନ ଫେରି ପଛକୁ ବାରେ ।

ସଂସାର ଗହନୁ କୂଳେ କୂଳେ ତୁମ

ଶିରେ ଝରୁଥିବ ଫୁଲ,

ଏ ମର-ରାଇଜୁ ଆନ ସେ ରାଇଜେ

ଲାଗିଛି ଏ ଅନୁକୂଳ ।’’

 

ଶାଳିଆ ନଈ ବାଣପୁରରେ । ଏହାରି କୂଳରେ ପଣ୍ଡିତ ଗୋଦାବରୀଶଙ୍କ ପ୍ରତିଷ୍ଠିତ ହାଇସ୍କୁଲ ଅବସ୍ଥିତ। ଏହା ଏକ ବିଦେଶୀ କବିତାର ଛାୟାରେ ଲିଖିତ ।

•••

 

ମୋ ସମ୍ପଦ

 

ବରଷା ଯେବେ ଆସେ ଆନତ ଜଳଧରେ

ଗୋଟିକି ଗୋଟି ଟୋପା ଧରଣୀ ପରେ ଝରେ ।

ଉଦାର ମହନୀୟ ସେ କମନୀୟ ଛବି

ପୁଲକେ ରହେ ଚାହିଁ ମରମେ ଅନୁଭବି ।

ଭାବେ ସେ ତୁମ ମୁଖ ଉଦାର ଜଳଧର

ତାହାରି ତଳୁ ଝରେ ନୟନ-ଲୁହ ଧାର !

ନୀରବ ଅଭିମାନେ ପଦେକ ମନକଥା

ନ କହି ତୁମ ନାମେ ପୋତି ମୁଁ ଦିଏ ମଥା ।

ସେ ଲୁହ ଝରି ମୋର ଚରଣ ତଳେ ଖାଲି

ସିକ୍ତ କରି ଦିଏ ଧରଣୀ ତଳ ବାଲି ।

ସିକ୍ତ କରି ଦିଏ ମରମ ଗୋଟା ସାରା,

ଆଜି ମୁଁ ଦେଖେ ସେଇ ବଦନ-ନଭେ ପରା !

ତୁମେ ତ ଏଇ ଆସ ମନେ ମୋ ଧୀରେ ଧୀରେ

ବିହରୁ ଅଛ ନିତି ସ୍ମୃତିର ଗିରିଶିରେ !

ଧରିବାପାଇଁ ଯାଇ ନ ପାରେ ଧରି ପାଦ

ଏଇ ଯେ ଧରିବାଟା ହୋଇଚି ମୋ ସମ୍ପଦ ।

•••

 

ଶୂନ୍ୟ ମନ୍ଦିର

 

ଦେବତା-ଚରଣ ପରଶି ରଜନୀ-ଦିବା

ତରଳ ଲହରେ କହଇ ଚିଲିକା କିବା,

ସମୀରଣ ତାର ମର୍ମ୍ମର ପରଶନେ

ସେବଇ ସେ ପଦ ନତଶିରେ ନିତି ଅବା ।

ସହି ଶିଳା ଖରା, ଚନ୍ଦ୍ର ପୀୟୁଷଧାରା

ପାତିଛି ତା ବୁକେ ଦେବତା ଆସନ ପରା,

ତିଳ ତିଳ ତାର ତନୁ କରି କ୍ଷୀଣତର

ସହିଛି ଜଗତ ଜନନୀ ସକଳ ଭାରା ।

ସନ୍ଧ୍ୟା-ବଧୂର ପାଟଳ କପୋଳ ତଳେ,

ଦିନପତି ଯେବେ କନକ ଭୂଷଣେ ଚଳେ

ପ୍ରିୟା ତୁଲେ ତାର ମରାଳ ରଚଇ ବାସ

ଦେଉଳ-କିରିଟୀ କାଳିଜାୟୀ ଗିରିପରେ ।

ଲହରୀ-ତଳପେ ଚଳାଇ ନଉକା ଧୀରେ

ଫେରିଯାଏ ଦୂର ବାଟୋଇ ସେ ଗିରି ତଳେ,

କରଯୁଗ ତାର ଉଠଇ କପାଳେ ତହିଁ–

‘ଦୟାମୟି ! ମୋତେ ଲଗାଅ ନେଇ ସେ ତୀରେ ।’

କେତେ ଦିନ କେତେ ବରଷ ଗଲାଟି ବିତି,

କେତେ ରବି, ଶଶୀ, ତାରା ହସିଗଲେ ନିତି,

ବହିଲା ସମୀର, ଖେଳିଲା ଲହରୀ କୂଳେ

ପାରିହେଲେ କେତେ ପାନ୍ଥ ସେ ଗିରି କତି ।

ଲାଗିଲା ନଉକା ଦିନେ ସେ ଶିଖରୀ ପାଶେ,

ପତିତପାବନୀ-ଚରଣ ପୂଜିବା ଆଶେ

ଚପଳ ଚରଣେ ଅମର ବାଳକ ସତେ

ପରଶିଲେ ଭୂଇଁ ଛବିଳ ମରତ-ଦେଶେ !

ନିଶି ସୁଗଭୀର, ନାଚିଲେ ଊର୍ମିମାଳ,

ଗାଇଲା ଚିଲିକା–କଳ କଳ, କଳ କଳ,

ନୀଳ ଅମ୍ବରେ ଗଲା ତାରା-ସଭା ବସି

ବନ୍ଦନା ଗୀତ ଗାଇଲେ ବାଳକଦଳ ।

ଏ କାଳେ ଉଠିଲା କାହାର ମର୍ମକଥା,

ଏକାଠି କି ହେଲା ଖିଳ-ସଂସାର ବ୍ୟଥା ।

ପାଷାଣ-ଗରଭେ ଜାଗିଲା ପରାଣ ସତେ !

ମିଳିଲେ ଛାଗଳ-ଶିଶୁଏ ନୁଆଇଁ ମଥା ।

ମୂକ ନର ଶିଶୁ, କହିଲେ ସେ ଖାଲି ବାଣୀ,

ଦେଲା ପ୍ରତିତାଳ ଉଛୁଳି ଚିଲିକାପାଣି–

‘କେଉଁ ଦେବତାର ଘୋର ଅଭିଶାପ ଫଳେ

ନିର୍ବାସିତ ଆମେ, ନ ପାରୁ ତିଳେକ ଜାଣି ।’

‘ପଧାନ ଘରର ପୁଅ ପାଳି-ଜରେ ପଡ଼ି

ସରିଯିବ ବୋଲି ପଡ଼ିଲା ଯେକାଳେ ରଡ଼ି

ମତେ ମାରି ତାର ମୁକ୍ତି ବିହିବା ଆଶେ

ଛାଡ଼ିଗଲେ ଏଥି’–କହିଲା କେ ଲୁହ ଢାଳି ।

ଆନ କେ କହିଲା–‘ଶୁଣ ହେ ମର୍ତ୍ତ୍ୟ-ବାସୀ !

ସରବରାକାର ପୁଅ ଯାଇଥଇଲେ ରୁଷି,

ଫେରିବା ପାଇଁ ସେ ବିଦେଶୁ କୁଶଳେ ଘରେ

ଦେଇଛନ୍ତି ମତେ ଏ ଯମ-ନିଳୟେ ପେଡ଼ି ।’

କହିଲା କେ ଆଉ–‘ଶିର ମୋ ପଡ଼ିଚି ଢଳି,

ବାର ବରଷର ଅଟେ ମୁଁ ଯେ ମଲା ଛେଳି,

ପରିଡ଼ା କୁମର ପାଠେ ଜୟଲାଭ ଆଶେ,

ଯାଇଥିଲେ ମୋତେ ଏ ମରୁଭୂଇଁରେ ଛାଡ଼ି ।’

ଉଠିଲା କାହାର ବିକଳ କଣ୍ଠଧ୍ୱନି–

‘ନିଷ୍ଠୁର ନରେ ଦେବତା କହନ୍ତି ପୁଣି !

ପୁଅ ବାହାଘର ମଙ୍ଗଳ କାମନାରେ,

କି ଲାଗି ଛାଡ଼ିଲେ ମୋତେ ଏଥି, ନାହିଁ ହାଣି ।’

ବୁକୁଫଟା କଥା କହିଲା କିଏ ସେ ଥାଇ–

‘ନରଶିଶୁ ତୁମେ ଅଟ କି ହେ ନରଦେହୀ ?

ତୁମରି ଜୀବନ-ପାତକ ଚିହ୍ନ ସତେ,

ଏପଶୁ ଲୋଚନ ଲୁହ କି ପାରଇ ଧୋଇ ?

ଉଠି କେ ନ ପାରି ଅନାଇଁ ପାଷଣେ କହେ–

‘ଏଡ଼େ ଟାଣ ମନ ବିଷୋୟୀ ବୁଢ଼ା କି ବହେ !

ତା ବିଲରୁ ନିତି ଧାନ ଗଲା ବୋଲି ଚୋରି,

କି ଲାଗି ଦରିଆ ପାରିକରି ମୋତେ ଦହେ !’

ଆଉ କେ କହିଲା କୁରୁ-ଗମ୍ଭୀର ତାନେ–

‘କିଣିବା ଆଶାରେ ବରଷକୁ ବିଲି ମାଣେ

ରଥ ବଡ଼ ପୁଅ ଦେଇଛି ଏ ଠାବେ ପେଷି,

ଲୋଭୀ ନିର୍ମ୍ମମ ରଥ କି ଧରମ ଜାଣେ ?’

ପଛେ ଥାଇ କିଏ କହଇ ଦୁଃଖ ତାର–

‘ମର୍ତ୍ତ୍ୟେ କି ସତେ ଏଡ଼ିକି ଆପଣା-ପର ?

ଅଶୀ ବରଷରେ କୁମର ପାଇବା ପାଇଁ

ଦାସ ବୁଢ଼ା ଏଥି କଲା ମୋତେ କଲବଲ ।’

ଶେଷେ ବଖାଣିଲା ବୃଦ୍ଧ ବିକଳ ଛେଳି,

ଥରେ ଥରେ ତାର ନୟନୁ ଲୋତକ ଢାଳି–

‘ଦେବତା ଗଲେଣି, ମନ୍ଦିର ନାହିଁ କେହି

କେତେ କାଳ ମହୀ ରହିବ ଏ ଭାରା ଧରି ?

ପୂଜିବ ଦେବତା, ଆସିଚ ମାନବ ଶିଶୁ !

ତୁମ ବୁକୁପରେ ଆମ ଲୁହଗାର ଦିଶୁ,

ବିଶ୍ୱେ ପ୍ରଚାର କର ହେ ଏ କଥା ଯାଇ–

ମାନବ କରିଚି ବନ୍ଦି ଏ ମୂକ ପଶୁ !

ସେବଇ ଦେବତା ଯେ କରେ ମାନବ ଭବେ,

ସେ କରେ ଲାଗିଚି ଆମରି ରକ୍ତ ଏବେ,

କହିବ ଏ କଥା ହେ ଶିଶୁ ଯାତ୍ରିଦଳ–

ଅମର ଭୋଗ୍ୟ ସେ କର ଜିନିଷ କେବେ ?’

ବାଜି ଏ କାତର କରୁଣ କାହାଣୀ କାନେ,

ମରତର ଶିଶୁ-ପରାଣ ଦହିଲା କ୍ଷଣେ,

ନିହି ବୁକୁପରେ ପଶୁ ଲୁହଧାର ଛାପ,

ଜୀବନେ ସେ ଅବା ଦେଖିଲେ ସ୍ୱପ୍ନ କ୍ଷଣେ ?

ଶୋଇଲେ ଉପଳେ ଢଳି ଗୋଟି ଗୋଟି କଳି,

ଗାଇଲା ଚିଲିକା କି ଗୀତ ଲହରୀ ତୋଳି

ସପନେ ସକଳେ କହିଲେ ଉଚ୍ଚେ ଡାକି–

‘କାହିଁ ମା’ ରହିଚ ଜଗଜ୍ଜନନୀ ବୋଲି ।

ନିଷ୍ଠୁର ନର ରଚେ ନିର୍ମମ ଖେଳ,

ନିକଟ କି ନାହିଁ ହୋଇଚି ପ୍ରଳୟ ବେଳ,

ଦେଉଳ କିରୀଟ ପଡ଼େ ନାହିଁ କିମ୍ପା ଖସି

ଦୁଷ୍ଟ ନିବାରି ସନ୍ଥ କି ନାହିଁ ପାଳ ?’

ପାଷାଣ ଦେବତା କହିଲେ ସେକାଳେ କଥା,

ରହିଥିଲା ଘୋଟି ଧରା ନଭେ ନୀରବତା–

‘ଏ ଦୂର ରାଜ୍ୟେ ଖୋଜୁଚ ଦେବତା ମିଛେ,

ଜଳେ ଖାଲି ଏଥି ନିଷ୍ପେଷିତର ଚିତା ।

ଉଠେ ଖାଲି ଏଥି କ୍ରନ୍ଦନ କୋଳାହଳ

ଦିବା ବିଭାବରୀ ଝରଇ ଲୋଚନୁ ଜଳ,

ମୋ ନାମେ ମାନବ ରଚି କଂସେଇଖାନା

କରିଚି ଜୀବନ ଚିର-କଳୁଷିତ ତାର ।

ମୋର ନାମେ ମୋର ସନ୍ତାନେ ଦେଇ ବଳି

ପଧାନ ଘରର ପୁଅ ସେ ଯାଇଚି ମରି

ସରବରାକାର ପୁଅ ଫେରିନାହିଁ ଘରେ,

ପଶୁ ନିଃଶ୍ୱାସେ ଉଆସ ହୋଇଛି ଧୂଳି ।

ପରିଡ଼ା କୁମର ହୋଇଚି ମୂର୍ଖତର

ବାହିନୀପତିକି ନ ମିଳେ ଅନ୍ନ ଜଳ,

ପୁଅ ବାହା ପରେ ହୋଇଚି ବିଧବା ବୋହୂ

କେତେ ଯେ ବିଷୋୟୀ ଅନାହାରେ କଲବଲ ।

ଶିଳା ପାଲଟିଛି ସେଦିନୁ କୁଞ୍ଜବନ,

ଶୂନ୍ୟ ସେଦିନୁ ମନ୍ଦିର ଅଙ୍ଗନ,

ଶୂନ୍ୟେ ଦେଖଇ ନିତି ମୁଁ ଅଶ୍ରୁ ଢାଳି,

ବନ୍ଦି ମୋ ଘରେ ମୋହରି ପରାଣଧନ !

ମୋ ଧନ ଲୋତକେ ମୋ ଘର ଉଠଇ ଭାସି

ନିଷ୍ଠୁର ଜନ ଦେଖେ ତାହା ହସି ହସି,

ମୁକ୍ତିରେ ତାର ଆପେ ବନ୍ଧନ ପାତି

ମୁକ୍ତି-ସପନ ଦେଖେ ଅଣବିଶ୍ୱାସୀ ।’

ପାହିଲା ରଜନୀ, ଦେଖିଲେ ଯାତ୍ରିଦଳ

ପାଷାଣ ଦେଉଳେ ପାଷାଣ କରିଛି ଘର

ସେ ପାଷାଣ ଆଗେ କରେ ପଶୁ ହାହାକାର

ଦେବତା ନାହିଁରେ, ନାହିଁରେ ଦେବତା ମୋର ।’

 

(ଚିଲିକା ଭିତରେ ଥିବା କାଳିଜାୟୀ ପାହାଡ଼ରେ କାଳିଜାୟୀ ଠାକୁରାଣୀଙ୍କ ମନ୍ଦିର ଅଛି-। କୌଣସି ମାନସିକ କରି ଲୋକେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ସେଠାରେ ବୋଦା (ଅଣ୍ଡିରା ଛେଳି), କୁକୁଡ଼ା ଛାଡ଼ିଆସନ୍ତି । ସେମାନେ ସେଠାରେ ବନ୍ଦି ରହିଲାପରି ରହି ଖାଇବା ପିଇବା ବିନା ଛଟପଟ ହୋଇ ମରିଯାନ୍ତି । ଥରେ ବାଣପୁର ହାଇସ୍କୁଲର ଛାତ୍ରମାନେ କାଳିଜାୟୀ ଦେଖିବାକୁ ଯାଇ ରାତିରେ ସେଠାରେ ରହିଥିଲେ । ସେତିକିବେଳେ ଲେଖକ ମଧ୍ୟ ସେଠାକୁ ଯାଇଥିଲେ । )

•••

 

ଦୁଇଟି ସାଇ

 

ଏକଇ ଗାଏଁ ସେ ଦୁଇଟି କୁଟୀର ଥିଲା,

ଦୁଇଟି କୁଟୀରେ ଦୁଇଟି ସେ ସାଇ ଗଡ଼ା,

ଏକଇ କୁଟୀର ଜଣାଣ ହୋଇଲେ ବୋଲା

ଆନଟିରେ ହୁଏ ଗୀତା, ଭାଗବତ ପଢ଼ା ।୧।

ଗୋଟିଏ କୁଟୀର ବେଦନା ଉଠିଲେ ବୁକେ,

ଆନ ପୁରବାସୀ ଲୋଚନ ଲୋତକ ଦିଶେ,

ଏ ଘରେ ଉଠିଲେ ମଧୁର ହାସ୍ୟ ମୁଖେ

କମ୍ପନ ତାର ଆନ ଘରେ ପରକାଶେ ।୨।

ଏ ଘର ବାସନ ବ୍ୟଞ୍ଜନେ ହେଲେ ଭରା

ସେ ଘର ଭୋଜନେ ଅଭାବ ନ ଥାଏ ତିଳେ,

ଏ ଘରୁ ତୁଟିଲେ ଦୁଃଖ-ଦୁର୍ଦ୍ଦଶା ଭାରା

ସେ ପୁରା ପରାଣୀ ମାନସେ ଶାନ୍ତି ମିଳେ ।୩।

କେତେ ଯେ ବରଷ ଗଲାଣି ସେ ଦିନୁ ବହି

କେତେ ତରୁ ଉଠି ଭୂଇଁରେ ଗଲେଣି ମିଶି,

ଦୁଇଟି କୁଟୀର ଥାନାରେ ଦୁଇଟି ସାଇ,

ଶହୁଁ ଅଧା ଘର ମଥା ଟେକିଲେଣି ଆସି ।୪।

ଦୁଇଟି ଗାଆଁରେ ଦୁଇଟି ବାହିନୀପତି,

ଦୁଇ ମକଦ୍ଦମ, ଦୁଇ ସରବରାକାର,

ଜଣେ ଯେବେ ଆସେ ମକଦ୍ଦମା ତାର ଜିତି,

ଆନ କହେ କାଲି ସାରିଦେବି ତାର ଘର ।୫।

ସେଇ ଗାଆଁ–ଏବେ ସେଇ ତ କୁମାରପୁର

ଦୁଇଟି କୁଟୀର ନାହିଁ ସେ କାହାଣୀ ଆଜି,

କି କଥା ହୋଇଲା ! ଆପଣାକୁ କରି ପର,

ମଫସଲ ଆଜି ପଡ଼ୁଛି ମନକୁ ଭାଜି ।୬।

•••

 

ଚିନ୍ତା ପଧାନ

 

ତିନି ଦିନେ ଥରେ ଚୁଲି ତା ନ ଲାଗେ

ନାମଟି ପଧାନ ଚିନ୍ତା,

ବାଡ଼ି ଧରି ଚାଲେ ଠୁକୁରୁ ଠୁକୁରୁ,

ଦିବସେ ନ ଦିଶେ ପନ୍ଥା ।

କୁଞ୍ଚିତ ତାର ପଳିତ କପୋଳେ

ଜୀବନର ଦୂର ଲକ୍ଷ୍ୟ

ପଲକେ ଦିଶଇ ଗଣିହେଉଥାଇ

ପଞ୍ଜରା, ଭେଦି ବକ୍ଷ ।

କଥା କହେ ଥରେ,–ଦନ୍ତବିହୀନ,

ପଡ଼େ ତିନି ଥରେ ବୁଝା ହେ,

କହେ ସେ, ତା ଦିନେ ଥିଲା ଦଶ ବାଟି

ବିଲ ଚାଷ କରି ରଜା ହେ ।

ଜୀର୍ଣ୍ଣ କୁଟୀର, ଶୀର୍ଣ୍ଣ ତା ତନୁ,

ମୁଦିତ ଯୁଗଳ ଲୋଚନ,

ପିଣ୍ଡାରେ ଦିନେ ବସିଚି ଚିନ୍ତା–

ଆସିଲା ପତ୍ର ନାରାଣ ।

ନାଲି ଟହଟହ ଲୋଚନ ଯୁଗଳ

ଥବିର ମାଗୁରାନିଶୁଆ

ଝାଳ ଗମ ଗମ, ଥନ୍ତଳ ପେଟ,

ପ୍ରାଣଟା ଚଉଦ ବିଶୁଆ !

କାନ ପାଖେ ବାଳ, ଚନ୍ଦା କପାଳ

କରିଦେଲା କିଏ ଅକାଳେ

ଚିନ୍ତା ଦୁଆରେ ହାଜର ସେ ହେଲା

କାହୁଁ ଆସି ବଡ଼ିସକାଳେ !

ଫେଇ କାଖୁ ସିଆ, କହିଲା ପାତ୍ର–

‘‘ବାକୀ କେତେ କାଳ ଗଡ଼ିବ ?

ବରଷ ଦଶକୁ ବାର ଦିନ ଅଛି,

ଆଜି ଯାହା ହେଲେ ଛିଡ଼ିବ ।

ମନେଥିବ ବୁଢ଼ୀ ପଡ଼ିଥିଲା ଜରେ

ଢାଳ ଦେଇ ମୋରେ ବନ୍ଧା

କରିଥିଲ ଶିବ କବିରାଜ ପାଖେ

ଓଷଦି ଅଶ୍ୱଗନ୍ଧା !’’

ଚିନ୍ତା ଚାହିଁଲା ମୁହଁ ଟେକି ଥରେ,

ପାତ୍ର ପାତିଛି ହସ୍ତ,

କାଖେ ଖାତା ସିଆ, ନିର୍ଧୂମ ରୂପ,

ଆାଲି ସେ ଅସ୍ତବ୍ୟସ୍ତ !

ନିଗାଡ଼ି ଦି’ଟୋପା ଲୁହ ସେ ଲୋଚନୁ

ଚିନ୍ତା ଏତିକି କହିଲା–

‘‘ଏତେ ଦିନେ କି ହେ ବୁଢ଼ୀର ଡାକରା

ତୁମରି ମୁହଁରୁ ଅଇଲା ?’’

ଉଠାଇ ପଳିତ ପଲକ, ପଧାନ

ତାଟି ପେଲି ପଶି କୁଟୀରେ

ମୁହଁ ତଳେ କରି ଅଇଲା ସେ ଫେରି

ଧରି କିବା ହାତ ମୁଠିରେ !

କହିଲା–ଏ ମୋର, ବୁଢ଼ୀ..... ବୁଢ଼ୀ ମୋର.....

ଦେଇଥିଲା ଗଲା ବେଳେ ହେ,

ତା ୠଣ ଶୁଝିଲେ, କଥା ଅଛି ପରା–

ପୁଣି ତା ସାଙ୍ଗ ମିଳେ ହେ ?

ମନେ ମୋ ନ ଥିଲା, ବନ୍ଧକ ଥିଲା

କାହା ପାଖେ ବୁଢ଼ୀ ଢାଳଟି

ଭଲ କଲ ବାବୁ, କହିଗଲ ସବୁ,

ଚାହିଁଥାନ୍ତି କାଳ କାଳଟି !’’

କହି, ଦେଲା ବୁଢ଼ା ବଢ଼ାଇ ତା କର;

ଧଇଲା ପାତ୍ର ନାରଣ

କାହାର ସୁନ୍ଥାତଳ ମଥାମଣି

ଚକଚକ ହେମବରଣ !

ବସିଗଲା ବୁଢ଼ା, ଆଖି ତା ମୁଦିଲା,

କି କଥା ଭାବିଲା ଆହା ରେ,

ଢଳି ସେ ପଡ଼ିଲା ମଥାମଣିଧରା

ପାତ୍ର ନାରାଣ ବାହାରେ !

ଚିତ୍ର ଦେଖିଲା, କୁଟୀର ତାହାର

ପାଲଟିଛି ତାଜମହଲ,

ଶହାଜାହାନ ସେ,–ଦଶ ବାଟି ଥିଲା,

ଥିଲେ ଚାରି ପୁଅ ତାହାର !

•••

 

ପଲ୍ଲୀସନ୍ଧ୍ୟା

 

ଦୂର ଗିରି ତଳ ଘନ ଗହ୍ୱରୁ

ଧୀରେ ଅବତରି ଆସିଲା,

ଏ ଘନ ତାମସା ମଫସଲ ପଥ

ଘାଟ ତଟ ସବୁ ଗ୍ରାସିଲା ।

ଶୁଭିଲା ପଥରେ ଗୋରୁ ଟିପା ରବ,

ବାଟେ କେ ଡାକିଲା ବାଟୋଇ -

ଏ ବାଟ କି ସେହି ଗାଆଁକୁ; ଆକାଶ–

ଦୀପ ଯହିଁ ଜଳି ଉଠଇ ।

ଗୁରୁଜନ ଡାକ ଶୁଭିଲା ଦୁଆରେ–

ପିଲା ଡାକେ, କାହିଁ ଗଲା ସେ

କୂଅ ମୂଳେ ଆଉ ପାଟି ଶୁଭୁ ନାଇଁ,

ପଡ଼ିଶା ଘରେ ମୁଁ ତଲାସେ !

ଶୁଭେ କାହା ଘରେ କଳରବ

ଖିଲି ଖିଲି ହାସ ମଓୁର,

ବସି ଚୁଲି ପାଖେ ଶାଶୁକୁ ଲୁଚାଇ

ହସ ଦୁଇ-ଚାରି ବଧୂର !

ହଳିଆ ଫେରଇ ଖଳା କାମ ସାରି

ପାଳ ଦେଖ ଯାଏ ଗୁହାଳେ

ଗୋଠଛଡ଼ା ଗାଈ ବିଲେ ଓଦା ଖାଇ

କରେ ହମାରବ ଦୁଆରେ ।

ପିଣ୍ଡାରେ କେହି ପଣ୍ଡିତ ଗାଏ–

ନୈଷଧ, ଗଳା ଫଟାଇ ।

କାହାଘରେ ମାଆ ଅବୋଲକରାକୁ

ତିଆରେ କି କଥା ଉଠାଇ ।

କୋଳରେ ଶୁଆଇ କୁନିକି କେ ବୋଲେ–

ଶୋଇପଡ଼ ଧନମାଳି ରେ,

ବାପା ଚାଲୁଥିବେ ତୋ କଥା ବିଚାରି

ପୁରୀରେ ଶରଧାବାଲିରେ ।

ଅନ୍ଧାର ଯେତେ ଘୋଟିଲା ଗଗନ,

ଘର ଦୀପ ହେଲା ଫରଚା

ଘର ବୋହୂ ଆଡ଼ ପଣତ ଉତାରି

କଲେ ବାର କଥା ଚରଚା ।

•••

 

ଦୁର୍ଗମ ଯାତ୍ରୀ

 

ଧୂମ୍ର-ବିକଳ ଗିରି ପଦ ତଳ,ଅନଳ ରଚଇ ଖେଳ,

ମଧ୍ୟ-ଗଗନେ ତପନ ବିରାଜେ,ନିର୍ଜନ ଖରାବେଳ;

ଚାଲେ ସନ୍ନ୍ୟାସୀ ବାଟ,

ଚଉଦିଗେ ଅବା ବହ୍ନି ଉଗାରି ଶଙ୍କର କରେ ନାଟ !

ଗୁରୁଭାରାକୁଳ ସନ୍ନ୍ୟାସୀ ମୁଖଉଠେ ଭାବନାରେ ପୂରି

ଆଗେ ମରୀଚିକା, ଚରଣ ତଳରେ ଅନଳ ପାଲଟେ ଧୂଳି,

ପଥ କାହିଁ, ପଥ କାହିଁ ?

କ୍ଳାନ୍ତ ବିହଗ କୁଲାୟେ କହଇ ଦୂର ତରୁ କେଳେ ଥାଇ ।

ବହେ ସନ ସନ ତପ୍ତ ପବନ, ଜନପଦ ଜନହୀନ;

ସନ୍ନ୍ୟାସୀ ପଛେ ଚାଲଇ ଭକ୍ତ–ନରଳସ, ଉନ୍‌ମନ ।

ପଛରୁ ଶୁଭିଲା ବାଣୀ–

ଗରୁଦେବ, ପଦ କର ମନ୍ଥର, ପଥ ହେଉ ନାହିଁ ଜାଣି ।

ବାରିହେଉନାହିଁ ଦୂର ତରୁ ସୀମା, ଏ ତ ନୁହେଁ ପରିଚିତ

ଦିଗ୍‌ବଳୟର ମସୀରେଖା ପାରେ କାହିଁ ସେ ଲକ୍ଷ୍ୟପଥ ।

ଦିବସର ଅବସାନେ

ଛାଇ ପାଲଟିବ, ଏଇ ଦେଖ ଦୂରେ ଜଳଦ ଈଶାନ କୋଣେ ।

ନାଚିଉଠେ ଦେଖ ଧୂର୍ଜ୍ଜଟି ସମ ଚପଲ ଝଞ୍ଜାବାୟୁ

ସଂଯୋଗ ନଈ ତୀର ତରୁରେଖା ବାରି ହେଉ ନାଇଁ ଆଉ,

ବିପ୍ଲବ ଉଠେ ଏ ଯେ !

ଶୁଣାଅଛି ଏଠି ଅଦିନ ବର୍ଷା ପ୍ରାଣ ସଙ୍କଟସୃଜେ ।

ଧରା, ଗିରି, ନଭ ଥରି ଏ ଘୂର୍ଣ୍ଣ ମାତିଉଠେ କ୍ଷଣୁ କ୍ଷଣୁ,

ଧୂଳି-ଧୂସରିତ ଧରଣୀ ବୁକୁରେ ବର୍ଷାର ଅଭିଯାନ !

ବଦନ ଉଠାଇ ଧୀରେ

ଗୁରୁଗମ୍ଭୀରେ କହେ ସନ୍ନ୍ୟାସୀ–ଯାତ୍ରୀ ତୁ ଡର ନା ରେ !

କ୍ଷୀଣ ଜଳଧର ବିପୁଳ ବେଗରେ ତପନ କରିବ ଗ୍ରାସ

ଆମରି ଯାତ୍ରାପଥରେ ଏ ସିନା ଭାଗ୍ୟର ପରିହାସ !

ପଥ ବଡ଼ ଦୁର୍ଗମ

ଭଜି ନ ପାରିଲେ କଥା ଅଛି ପରା ଭାଜନ୍ତି ଯୋଗିଜନ !

ଦୁଇଟି ଯାତ୍ରୀ ଏଡ଼ାଇ ଝଞ୍ଜା, ପଡ଼ିଲେ ଭୂତଳେ ଶୋଇ

ଝଡ଼ ଚାଲିଗଲା ଗଉର ତନୁରେ ମାଟି ଗୋଡ଼ି ବାରି ନୋହି

ଅଶନି ବାଜିଲା କାନେ,

ଚମକି ଉଠିଲା ଧରା ଅମ୍ବରେ ବିପ୍ଲବ ଅଭିଯାନେ !

ରବି ନ ବୁଡୁଣୁ ବାରୁଣୀ ଶିଖର, ନ ଆସୁ ଅନ୍ଧକାର

ମେଘ ଚାଲିଗଲା ମେଘର ବାଟରେ, ପବନ ହୋଇଲା ଥିର,

ବନ ଗିରି ଜନପଦ

ମନେ ହେଲା ଅବା ପାଲଟି ଯାଇଚି ଶନ୍ତିର ଆସ୍ପଦ !

ଉଠି ତଳୁ, ଶିଳା ପରେ ହୋଇ ଉଭା ସନ୍ନ୍ୟାସୀ ଯୋଗିବର

କୁଞ୍ଚିତ କରି ଭୂରୁ, ଗୁରୁବାଣୀ ଭାଷିଲେ–ବତ୍ସ ମୋର,

ଏ ଜାତି ଯାତ୍ରାପଥେ

କେତେ ଘନଘଟା, କେତେ ସଂକଟ ଦେଖାଦେବ ଏଇମତେ ।

ତିଳ ତିଳ କରି ଜୀବନ ଥରିବ, ଝରିବ ଅଶ୍ରୁରାଶି,

ଅକାଳେ, ଅଦିନେ ଯାତ୍ରା ଲଗନେ ବଜ୍ର ପଡ଼ିବ ଆସି

ଭ୍ରୂକୁଟି ଦେଖାଇ କାଳ

ଜାଗରିତ କେତେ ଯାତ୍ରୀ ପଥରେ ଜାଳିବ ପ୍ରଳୟାନଳ !

କେତେ ଯେ ଆସିବେ, ଅବାଟେ ପଶିବେ ଶିଖି–ମନାଇର ଦଳ,

ସେ ଗୁରୁ ଧକ୍‌କା ସହିବାକୁ ଖାଲି ଲୋଡ଼ାଟି ଆତ୍ମବଳ,

ଜାତିର ପତାକା ଧରି

ଲୁଟି କରି ନେବେ ଏ ଜାତି ଧର୍ମ, ଦିବସେ କରିବେ ଚୋରି !

ମହା ମିଥ୍ୟାର ଜାଲ ଛନ୍ଦିବେ ମହୀରାବଣା ବେଶେ,

ସିଂହବେଶରେ ଶୃଗାଳ ବାହିନୀ ବୁଲିବେ ସିଂହଦେଶେ,

ଦେଖେ ମୁଁ ଏ କାଳ ତୀରେ

ଜନଗଣ ମନ ଜାଗିବ ରେ ଦିନେ ନିବିଡ଼ ଅନ୍ଧକାରେ ।

ଏଭଳି ଆସିବ ଗୁରୁ ପରୀକ୍ଷା, ଏଭଳି ହସିବ ରବି,

ଦୂର କାଳ-କାଳେ ଦେଖୁଚି ଏବେ ମୁଁ ସିଂହଭୂମିର ଛବି,

ଶିଖିମନାଇର ଦଳ

ଉଠିବେ, ଲୁଚିବେ, ଉଜ୍ଜ୍ୱଳ ହେବ ମୋ ଜନନୀ ଉତ୍‌କଳ !

 

(ସିଂହଭୂମିର ପାହାଡ଼ିଆ ଅଞ୍ଚଳରେ ବେଳେବେଳେ ଅଦିନ ବର୍ଷା ହୁଏ, ବଜ୍ର ମାରେ, ଝଡ଼ତୋଫାନ ଦେଖାଯାଏ । ସିଂହଭୂମିରେ କାମ କରୁଥିବା ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ପଣ୍ଡିତ ଗୋଦାବରୀଶ ଏହିପରି ଝଡ଼ତୋଫାନବେଳେ ଉଚ୍ଚ ହୁଡ଼ାତଳେ ଶୋଇରହି ବିପଦରୁ ରକ୍ଷାପାଇଥିଲେ ।)

•••

 

କିମିତି ସହର ?

 

ବାବୁ ! ମତେ ତମେ ସହର କଥାଟି କହ

ଦେଖିନି ନୟନେ, ବିଚାରଇ ଅହରହ ।

ଦୁଇ ସାଇ, କୂଅ, ପୋଖରୀ, ଦେଉଳ, ବିଲ,

ଅଛିଟି କି ମୋତେ ବୋଲ ।

ଅଛି କି ଦୋକାନ ଆମ ଗାଁ ଦୋକାନ ପରି,

ଜିରା, ତେଲ, ମେଥି, ହଳଦି, ମରିଚ ଭରି,

ଭିଡ଼ କି ହୁଅଇ ସେ ଦୋକାନେ ବେଳବୁଡ଼େ

କାରବାର ହେଲାବେଳେ ।

ସାହୁକାର ଆମ ‘ବିନା’ ସାହୁକାର ଭଳି

ଦେଖିଚ କି ବାବୁ ସହରେ ଲୋକ ଦି’ଚାରି,

ଗରଜନ କରି କରଜ ଦିଅନ୍ତି ଡାକି

ପୁଅ ନାତି ନାଆଁ ଲେଖି ।

ସକାଳ ଗଉଡ଼ ଫିଟାଇନିଏ କି ଗାଈ ।

ବାଟଘାଟ ନିକି ଧୂଳିରେ ହୁଅଇ ଛାଇ,

କଇଁଫୁଲ, କାଳି, କସରା, ଓଲେଇ କହି–

ଓଡ଼ାଏ ଗଉଡ଼ ଗାଈ ?

ପିଠିରେ ଧୋବଣୀ ଲୁଗା-ପରବତ ଧରି

ଯାଏ କି ତୋଠକୁ ଗତି ମନ୍ଥର କରି ?

କୁହାଟ ଶୁଭେ କି ନିର୍ଜନ ତୋଟା ମାଳେ

ତୋଠେ ସେ କାଚିଲାବେଳେ ।

ସକାଳୁ ଗାଧୋଇଯା’ନ୍ତି କି କୁଳବୋହୂ

ଖରା ପଡ଼ି ଧରା ସଫା ନିରିମଳ ନୋହୁ,

ଓଦା ବସନରେ ଫେରି ଆସନ୍ତି ଘରେ

ବହି ପାଣି ଗରେ ଗରେ ?

ଦିନ ଦି’ପହରେ ବାଡ଼ି କୂଅ ମୂଳେ ବସି

କଥା ପକାନ୍ତି ସହରର ମଦାଳସୀ ?

କାଚରା ଆସିଲେ ବିଚାର ନ କରି କିଛି

କାଚ ନିଅନ୍ତି ବାଛି ?

ସେଠି କି ରହିଚି ଚାଳକୁ ଚାଳ ହେ ଲାଗି,

ଛନ୍ତି କି ତହିଁ ଯେତେକ ଦୁଃଖଭାରୀ ?

ଏ ଭଳି ବରଷା ସହରେ କି ହୁଏ ଖାଲି,

କାଦୁଏ ନ ହୁଏ ଚାଲି ?

ପାଣିରେ ତିନ୍ତି ଖରାରେ ଜଳାଇ ଦେହ

ଆମ ପରି ସେଠି ’ଛନ୍ତି କି ଲୋକ କହ ?

ବସି ବେଳବୁଡ଼େ ବିଚାରନ୍ତି କି ସତେ

କି ଭଳି ଜଗିବେ କ୍ଷେତେ ?

କୋଠ ଭୋଗରାଗ ହୁଏ କି ସହରମୟ

ବାଡ଼ି ମଡ଼କରେ ପାଠ କୀର୍ତ୍ତନ ସହ ?

ଭାଇ, ନନା, କକା କିଏ କି କାହାକୁ ଡାକେ

ବିପଦ ପଡ଼ିଲେ ପାଖେ ?

•••

 

ନବବର୍ଷର ଜୟ

 

ହେ ମୋର ଜାତିର ମୁକ୍ତିପଥର ପରମ ତରୁଣଦଳ

ବନ୍ଦନା କର ଆଜି ଧରଣୀର ଅତିଥି ଚରଣ ତଳ ।

ଦେଖ ତବ ନତ ନେତ୍ରପଥରେ ଏଇ ଚାଲେ ଧୀରେ ଚାଲେ

ବିକଳ ପ୍ରାଚୀନ ବତ୍ସର ଆଜି ମୃତ୍ୟୁର ପରପାରେ ।

ଏ ନବ ବର୍ଷ ପ୍ରଭାତ ପଥରେ ଧର ହେ କେତନ ଧର,

ହେ ମୋର ଜାତିର ମୁକ୍ତିପଥର ଅରୁଣ ବରଣ ଦଳ !

ହେଉ ପୁରାତନ କାଲିର ଧର୍ମ୍ମ, ଗାଉ ବସି ତାରେ କବି

ହୁଉ ତୁମେ ଆଜି ମୋ ଜାତି ମାନସେ ଉଦୟାଚଳର ରବି ।

ଭେଦି ଏ ସମାଜ ସୀମାପଥ ଆଜି, ତେଜି ଦେଶ ସୀମା ବାରେ

ଚିତ୍ତ-ନିକଷେ ନବୀନ ବରଷ ଦିଶେ ସଙ୍କେତ ଗାରେ ।

ତୀର୍ଥଯାତ୍ରି ! ଧର ହେ ଧୈର୍ଯ୍ୟ, ବରଣ କରିବ ଜାଣି

ବର୍ତ୍ତମାନର ବର୍ଷ ତଟରେ ଦେବତା ବଜ୍ରପାଣି !!

କେତେ ପୁଷ୍ପିତା କିଶୋରୀ ତନୁରେ ମରଣ ବିହିଲା ଛାଇ,

ବିରହମାନର ବିଜନ ବାସରେ ବେଦନା ଉଠିଲା କାହିଁ,

ଝାଉଁଳି ପଡ଼ିଲା ଅଧର ରାଗ ସେ କାହାର ଅକାଳେ କାଲି,

ଉଦ୍‌ଗତ ମୁଖ ହେଲା ଅବନତ ସଂସାର ଲୀଳା ଛାଡ଼ି !

ପଥେ ପଥେ କାହିଁ ଚାଲିଗଲେ କେତେ ମରଣ ଯାତ୍ରୀଦଳ

କର ଶିରାଘାତେ ଥରିଲା ନିଖିଳ-ଜୀବନ-ବକୁଳତକ ।

ଅସମ୍ମାନେ ବା ଲୁଚିଲା କାହାର ଗୌରବଟିକା ଭାଲେ,

ଶଙ୍ଖ କାହାର ବାଜିଲାନି ବାରେ କମ୍ପିତ କରତାଳେ ।

ବନ୍ୟା ଯେ ଥିଲା ଆସି ଏ ଦୁଆରେ ଫେନିଳ ଅଟ୍ଟହାସେ

ଝିଲ୍ଲି-ମୁଖର ପଲ୍ଲୀ ବିହାରେ ରଚାଇ ମୃତ୍ୟୁ-ରାସେ,

ପୁରାତନ ତୁଲେ ବନ୍ଦୀ ସେ ସବୁ, ଗାଅ ହେ ତରୁଣଦଳ,

ସନ୍ଧାନ କର ନୂତନ ଭୁବନେ ଶ୍ୟାମଳ କେଦାର ତଳ ।

ବିରଚ ହେ ନବ ମହା ଯୌବନ ଏ ନବ ବର୍ଷ ଆଜି,

ବିହିବେଟି ବାଣୀ ତବ ସଙ୍ଗୀତେ ନର-କଙ୍କାଳରାଜି ।

ତୁମରି ସ୍ୱତ୍ୱ, ତୁମରି ସତ୍ୟ ହେଉ ଏ ଜଗତମୟ

ନବ ବର୍ଷର ନବ ହର୍ଷର ହେ ଶହୀଦ୍ ଦୁର୍ଜ୍ଜୟ !

•••

 

ଗ୍ରାମ ଦେବତା

 

ଗାଉଁ କେତେ ଦୂରେ ପଥର ଦେଉଳ

କେତେ କାଳୁ ଦିଅଁ ଅଛନ୍ତି ବସି

ପାରିବ କି କହି କେହି ନରଦେବୀ,

କହିଲେ କହିବେ ତପନ ଶଶୀ ।

ନିତି ବାଜେ ଘଣ୍ଟ, ହୁଏ ପରକଟ

ସେ ହେବ ମହିମା ଘରକୁ ଘର,

କିଏ ନ ଜାଣଇ କୁମାରାଙ୍ଗେ ଥାଇ

କୁମାରାଙ୍ଗ ଦିଅଁ ବାଲୁକେଶ୍ୱର ।

ପୂଜା-ଆରତିରେ, ଦିବସେ, ରାତିରେ

ବାଳ ବୃଦ୍ଧ ଯୁବା ହୁଅନ୍ତି ଜମା

ମଥା କୋଡ଼ି ନିତି ଜଣାଇ ଯାଆନ୍ତି

ସ୍ନାନ ସାରି ଉମା, ରେବତୀ, ରମା ।

ତରୁଣୀ କୁମାରୀ ସଖୀ ସହଚରୀ

ଓଦା ବସନରେ ବେଢ଼ାଇ ଅଙ୍ଗ

ମୁହେଁ ଚିପି ହସ, ଚଢ଼ାଇ ଗୟସ

କହନ୍ତି ଗୋପନେ ମନ-ପ୍ରସଙ୍ଗ ।

କୋଳେ ଘେନି ସୁତ ଜଣାଏ ଭଗତ

ଅମର ହେଉ ତା କୁଳନନ୍ଦନ,

ଜନନୀ ଜଣାନ୍ତି ଆସି ନିତି ନିତି

କାଚ ମାଛ ପାଇ ଥାଉ ତା ଧନ ।

ବାଟେ ଗଲାବେଳେ ଭିକାରି କାତରେ

ମୁଠେ ଭିକ ଆଶେ ଟେକେ ତା କର,

ଗ୍ରାମ ସାହୁକାର କରେ ନମସ୍କାର

ଚଢ଼ା ରଖିବାକୁ ତା ସୁଧହାର ।

ୠଣୀ କୋଡ଼େ କଥା, ତା ଘର ବାରତା

କଥାରେ ନ କହି କହେ ଲୁହରେ

ଚଷା ହଳ ଧରି କହେ–ହରି ହରି !

ଚାଉଳ ଅଣାକୁ ନ ମିଳେ ସେରେ !

କାନ୍ଦି ଡାକେ ରୋଗୀ ଭଲ ହେବାଲାଗି,

ଜଣାନ୍ତି ବଇଦେ ପଇସା ଆଶେ,

ଗାଆଁ ଅବଧାନ ଗାଆନ୍ତି ଜଣାଣ

ଦରମା ବଢ଼ିବ ବରଷ ଶେଷେ ।

ସବୁ ଶୁଣି ଶୁଣି ପଥର ହେଲେଣି

ପଥର ଦେଉଳେ ଗ୍ରାମଦେବତା

କି କଥା ଶୁଣି ସେ କିବା ନ ଶୁଣିବେ

ସେଥିଲାଗି ଅବା କରନ୍ତି ଚିନ୍ତା !

•••

 

ବର୍ଷାର ଜୟଯାତ୍ରା

 

ଅଖିଳ ଅବନୀ ଅଭିଯାନ ବାଣୀ ନିହି ଏ ରୁଦ୍ର ବୁକେ

ଆସିଛି ମରଷା ଆଜି ମୁଁ ବଜ୍ର ଡାକେ ।

ଜଗତର ମହା-ଧ୍ୱଂସ-ମଶାଣେ ଉଡ଼ାଇ ବାଲୁକାରାଶି

ଚାଲିଥିଲା କାଲି ଯେ ପଥେ ଅନଳ-ରବିକର ରାଶି ରାଶି

ହାହାକାରମୟ ଶୂନ୍ୟ ନୀରବ ଜୀବନରେ କୂଳେ କୂଳେ

ଆଶା-ଭାଷହୀନ ମରମ-ବାରତା ଫିଟି ପଡ଼ିଥିଲା ତଳେ,

ନବୀନ ମୁଁ ଆଜି, ଚିର ପୁରାତନ,ସେ ପଥେ ନବୀନ ଯାତ୍ରୀ

ଖାଲି ମୁଁ ରୁଦ୍ର ଦୁର୍ବାର ଧାରା, ଖାଲି ମୁଁ ଗଭୀର ରାତ୍ରି ।

ଅତୀତର ମୁହିଁ ଦକ୍ଷଯଜ୍ଞ ନୂତନର ବନଫୁଲ

ଚିର ଅବାରିତ, ଅନାହୂତ ମୋର ଅଭିଯାନ ଅବନୀର ।

ଅନାଗତର ମୁଁ କୋମଳ ସୃଷ୍ଟି, ବିପ୍ଲବ ମହାରଣେ,

ନଚାଇ ଚାଲିବି ସୁପ୍ତ ବିଶ୍ୱ କାନ୍ତ-କଠୋର ତାନେ ।

ନାହିଁ ମୋ ରାଗିଣୀ ଛନ୍ଦ–

ଅଖିଳ ଅବନୀ ଅଭିଯାନ ଘେନି ଚାଲିବି ଆଜି ମୁଁ ଅନ୍ଧ ।

ସେ ଦିନର ମୁହିଁ ଭାର୍ଗବ ବୀର ଖଡ୍‌ଗ-କୁଠାର ହାତେ,

ସେ ଦିନର ମୁହିଁ ବନମାଳୀ ବେଣୁ ଅକୂଳ ଯମୁନା ତଟେ

ଚୂରିବି, ମାରିବି, ରୁକ୍ଷ, ନିଠୁର କରିବି ଶାନ୍ତ ଧରା,

ଆସିଛି ଆଜି ମୁଁ ସୁଦୂର ଯାତ୍ରୀ, ଭାଙ୍ଗି ନିୟୁତ କାରା ।

ଯେତେ ପୁରାତନ ଛନ୍ଦ–

ସବୁଥିରେ ମୋର ଭରିଦେବି ଚିର ନୂତନ ଆକୁଳ ଗନ୍ଧ ।

ଅଚପଳ କେତେ ପାଷାଣ-ପରାଣ ଚମକି ଉଠିବ ଆଜି

ପୁରାତନ ଗଳୁଁ ଗଳିପଡ଼ିବ ହେ କ୍ଳାନ୍ତ କୁସୁମରାଜି ।

ସ୍ୱପ୍ନ-ପାଗଳ ବୁକେ ଢାଳି ମୋର ଯଉବନ ସନମାନ

ଅଜଣା ସୁଦୂର ଜୀବନେ କରିବି ଶେଷ ମହା ଅଭିଯାନ ।

•••

 

ଗଉଡ଼ ଚିନ୍ତା

 

ଗଉଡ଼ ତାର ଗାଈକି ଜଗେ ବରଷା ହେଲା ଆସି

ଗରଜି ମେଘ ବିଜୁଳି ମାରେ, ଓଳିଏ ବେଳ ଅଛି ।

ପୂର୍ବ ଆଉ ପଶ୍ଚିମର ନ ଦିଶେ ଗିରି ରେଖା,

ମେଘରେ ଚଢ଼ି ମେଘ କି ଆସେ, କାହିଁ ତ ନାହିଁ ଦେଖା ।

ଏଭଳି ଦିନେ ଗଉଡ଼କଥା ଭାବେ କି କେହି ଘରେ ?

ଏଭଳି ବେଳେ ଗାଈକି ଛାଡ଼ି ଗଉଡ଼ ରହିପାରେ ?

ତଲାରି ତଳେ ସଳଖ ତନୁ ଜାକି ସେ ଦୁଇ ହାତ

କହଇ ମୋର ଗାଈକି ରଖ ଶୁଭରେ ଜଗନ୍ନାଥ !

ନଈ ସେ ପାଖେ ଗରଜେ କିଏ ଖାଲି ତ ବାରିଧାର

ମେଘରେ ମେଘ ବାକି କି ଫାଟିପଡ଼ିଲା ପାଣିଝର !

ସେ ପାଣି କୂଳେ କଇଁଆ ମୂଳେ ମାଟିର କୁଟୀ ଗୋଟି

କାହାରି ତଳେ ମରମତଳେ କାହାର ଜଳେ ବତୀ ।

ବିଜୁଳି ଦେଖି, ବଦନ ଟେକି ପାଗଳ ମେଘେ ଚାହେଁ

ସେ ଜଡ଼ ତନୁ କୁଟୀରେ ତାର, ଚିତ୍ତ ଦୂରେ ଧାଏଁ ।

ଥରେ ସେ ଥୋଇ ପଦାକୁ ପାଦ, ଥରେ ସେ ନିଏ କାଢ଼ି

ସତେ ବା ତାର ଆଗୁଳେ ବାଟ ମେଘର ଘଡ଼ଘଡ଼ି ।

ପଦାରେ ତେଣେ ଗଉଡ଼ ମନେ ବିଚାରେ ହୋଇ ଠିଆ

ମୋ ଗଉଡ଼ୁଣୀ ଆସିଥିବ କି ଧରି ଘୋଟଣାଖିଆ ।

ଉପରେ ଦେଖି ବିଜୁଳି ତଳେ ଥରୁଥିବ ତା ଚିତ୍ତ

କୁଆଡ଼େ ଯିବି, ଏଆଡ଼େ ଗୋଠ, ସେଆଡ଼େ ପ୍ରାଣମିତ !

ପବନ ହେଲା, ମେଘ ଭାଜିଲା, ବିପୁଳ ହେଲା ନଭ

ଶୁଭିଲା ତାର ଗାଈଗୋଠରେ ବିପୁଳ ହମ୍ବାରବ ।

ଆପଣା ବୁକେ ଉଠିଲା ଝଡ଼ ସୁମରି ପ୍ରାଣପ୍ରିୟା

ବୁଲି ସେ ଦେଖେ, ଉଦ୍‌ବେଗେ କେ ତାହାରି ପାଖେ ଠିଆ !!

•••

 

ପୃଥ୍ୱୀରାଜ ପତ୍ର

 

ବନ୍ଧୁ ମୋର ହେ ରାଜସନ୍ନ୍ୟସି !

କି ଲେଖବି ଭାଇ ଆଜି ଫାଟିଯାଏ ବୁକୁ ମୋର

କି ଲେଖିବି ଜୀବନର ଗଭୀର ବେଦନାଭାର ?

ମିବାରର ମହାରଣା ପ୍ରତାପ ! କରିଛ ମନ

କରିବାକୁ ଅରିପଦେ ଧନମାନ ଅରପଣ !

କି ଭଳି ପରତେ ଯିବି–ଥରୁଚି ଲେଖନୀ କରେ–

ହିମାଳୟ ନୁଆଁଇବ ମଥା ତାର ମହୀତଳେ !

ସତ କି ଏ କଥା ଭାଇ, ଧମନୀ ମୋ ଯାଏ ଛିଡ଼ି,

ସରଗର ପାରିଜାତ ନରକେ ପଡ଼ିବ ଝଡ଼ି ?

ମିବାର-କେଶରୀ ଆଜି ଦାସ ହେବ ବଇରୀର !

ଶୁଣିବା ଆଗରୁ ଭାଇ ମରଣ ବରଣ କର ।

କି ବୋଲି ଲେଖିବି ଆଜି ଦୂର ଦେଶେ ଦୂର ପଥେ

ବହେନି କି ସମୀରଣ ମିବାର କାନନ ପଥେ ?

ମିବାର ସ୍ୱାଧୀନ ନଭେ ଉଠେନି କି ରବି ଶଶୀ,

ସ୍ୱାଧୀନ ତଟିନୀ ତାର କୋଳେ ବହେନି କି ହସି ?

ବନେ ବନେ ତରୁମେଳେ ନିବିଡ଼ ନିର୍ଜନ ପଥେ

ସ୍ୱାଧୀନ ବିହଗ ତାର ଗୀତ ଗାଏନି କି ସତେ ?

ଆଜି କିପାଁ ତାର ସ୍ୱାଧୀନ ପ୍ରତାପ ବୀର

ବିଦେଶୀ ଦୁଆରେ ମାଗେ କୃପାଭିକ୍ଷା ଜୀବନର ?

ଶୁଣିବା ଆଗରୁ ଭାଇ, ମରଣଟି ବଡ଼ ଭଲ

ମିବାର-କେଶରୀ ଆଜି ଦାସ ହେବ ବଇରୀର !

ଏତେ ଦିନେ ଭୁଲିଗଲ ଭାଇ କି ସେସବୁ କଥା

ସମର, ସଂଗ୍ରାମ ବାଣୀ, ପଦ୍ମିନୀ ସମର-ଗାଥା ?

ପିନ୍ଧି କର-ଚରଣରେ ନିଜ ହାତେ ନିଜ ବେଡ଼ି

ନିଜ ଗଳେ ନିଜେ ଆମେ ଦେଇଥିଲୁ ନିଜ ଛୁରୀ

ଖାଲି ଗର୍ବ କରୁଥିଲୁ ଦେଖି ତବ ଅଭିଯାନ–

ପତିତ ମିବାରେ ଦେବ ପ୍ରତାପ ଜୀବନ ଦାନ ।

ବୀର ଗଉରବ ଆଜି, ଅବଳା ମହତରାଶି

ବିଦେଶୀ ମୋହନ ମନ୍ତ୍ରେ ଯାଉଛି ସେ ସବୁ ଭାସି ।

ମୃତ ଜାତି ବୁକେ ଶୁଣି ତୋର ଏ ମୋହନ ନାମ,

ଆସୁଥିଲା କେତେ କାହିଁ ଶହ ଦେହେ ନବ ପ୍ରାଣ ।

ଭୁଲନା ଭୁଲନା ଆଉ, ପଥ ବଡ଼ ଭୟଙ୍କର,

ଭୁଲିବା ଆଗରୁ ଭାଇ, ମରଣ ବରଣ କର ।

ଦଅନା ତୁ ପରିଚୟ ରାଜପୁତ ବୋଲି କାହିଁ

ସେ ମରଣ ବଡ଼ ଭଲ ଏ ଜୀବନଠାରୁ ଭାଇ !

ମିବାର-ଧରଣୀପତି ପଥର ଭିକାରି ଆଜି,

ମିବାର-ଗୌରବ ପାଖେ ନରଗର୍ବ ପଡ଼େ ଭାଜି ।

ମିବାର-ସ୍ମରଣେ ହସେ କେତେ ଆଶା ହୃଦୟର–

ମିବାରର ଧୂଳିକଣା ଭାରତର କୋହିନୂର ।

ମିବାରର ଫୁଲଫଳେ ହସେ ସ୍ୱାଧୀନତା-ରାଣୀ,

ମିବାରର ମାହାରାଣା ଭାରତ-ମୁକୁଟମଣି ।

ଜଗତ ପଚାରେ ଆଜି ‘ସତ କି ଏ କଥା ସତ,

ପ୍ରତାପ କି ପାଳିଅଛି କଠୋର ଜନନୀ ବ୍ରତ ?’

‘ପ୍ରତାପ ପାଳିଛି ବ୍ରତ’ କହେ ଶତ୍ରୁ ହସି ହସି–

ସାକ୍ଷୀ ତାର ହୃଦୟଟି, କରେ ପୁଣି ଖର ଅସି ।

ପ୍ରତାପ ଚାଲିଛି ମହା ଭୀଷଣ ବିଜନ ପଥେ,

ମାଆପାଇଁ ମିଶିଅଛି ପ୍ରତାପ ଅନଳ ସ୍ରୋତ ।

ବରଜିଛି ଯେତେ ସୁଖ ବିଳାସ ବାସନା ତାର–

ପ୍ରତାପର ସାହା ଖାଲି କରେ ଖର କରବାଳ ।

ଭୁଲନା ଭୁଲନା ଭାଇ, ଆଉ ଏଇ ଅନ୍ଧକୂପେ,

ମରିବାକୁ ଇଚ୍ଛା ଯଦି କର ଆତ୍ମହତ୍ୟା ଆପେ ।

ନତୁବା ଉଠାଅ କରେ ବିଜୟ-ନିଶାଣ ତୋଳି -

ଉଠ ଆକବର ଆଗେ, ଉଠ ‘ମୋର ଜାତି’ ବୋଲି ।

ବଜାଅ ବଜାଅ ଭାଇ ତିରୋରୀର ରଣଭେରୀ

ଥରୁ ହେ ବିଷୁବ ବୁକୁ ସୁମେରୁ କୁମେରୁ ଧରି,

କୁଳବାଳା ଉଠୁ ତା’ର ମହତ-ଗରବେ ହସି,

ଉଠାଅ ମୋହନ-ମନ୍ତ୍ରେ ବୀରସୁର ରାଶି ରାଶି ।

ଭାଙ୍ଗିଯାଅ, ଫିଙ୍ଗିଯାଅ, ଦଳିଯାଅ ପାଦତଳେ–

ଅତ୍ୟାଚାରୀ, ମିଥ୍ୟାଚାରୀ ଯେତେ ଏ ବଇରୀଦଳେ ।

•••

 

ଚିଲିକା-ବିହାର

 

ରହ, ରହ, ରହ ରହ ହେ ନିମିଷେ

ସୁନୀଳ ଭାଲେରୀ ଶିଖରେ ରବି,

ତୁମ ହେମ କର ପରଶି ଚିଲିକା

ବହିବ ବୁକୁରେ ବିମଳ ଛବି ।

ଏ ଯେ ଗୋଟି ଗୋଟି ଲହରୀ କପାଳେ

କୋଟି ବେଶେ ତୁମେ ରଚିବ ଖେଳ,

ନ ଦିଶୁ ଗଗନେ ତାରକା ମାଳିକା

ନ ମିଶୁ ଅନ୍ଧାରେ ବଣ ଶଇଳ ।

ଘଣ୍ଟଶିଳା ଶିଳା ଅଳକେ ଅନାଇଁ

ପରଶ ଶାଳିଆ ପୁଳିନେ ଧୀରେ,

ତା ତୀରବିହାରୀ– ଚୂତବନଚାରୀ

ଶିଶୁଏ ଖେଳିବେ ଏ ସ୍ୱର୍ଣ୍ଣ ନୀରେ ।

ଦେଖ ରବି ଦୂରେ ଏବେ ଏ ନଉକା

ଘେନି ଶିଶୁ ଜନ କରଇ ଖେଳ,

ସେ ପାଖେ ଦିଶଇ ପାରିକୁଦ ଛାଇ

କାଳିଜାୟୀ ଶିରେ ଶ୍ୱେତ ଶଇଳ ।

ଗିରି ପରେ ଗିରି ବିଲପଦା ଶିରୀ

ସମ୍ପଦ ଶୋଭଇ ପୁଳିନଦେଶେ,

ପାରିବ କି ଜାଣି- ଶିଶୁ-କଣ୍ଠ ବାଣୀ

କି ଲାଗି ଚିଲିକା ଲହରେ ମିଶେ ?

କି ଲାଗି ଏ ଶିଶୁ ବଦନ କୁସୁମ

ପୁଲକେ ଅଧିକେ ଦେଖି ଏ ଶୋହା,

ମରତ ଭୂଇଁ ଏ ପାଲଟେ ସରଗ

ଅମର ଶିଶୁ କି ବାହାନ୍ତି ନାଆ ?

ଯିବ ରବି ତୁମେ ବୁଡ଼ାଇ ଅନ୍ଧାରେ

ଛବିଳ ଧରଣୀ, ଶଇଳ ପାରେ,

ଅନ୍ଧାରେ ଲହରୀ ହେବ କଳ କଳ

ଶିଶୁଏ ଅନ୍ଧାରେ ଦେଖିବେ ବାରେ ।

ବାହିବେ ଅନ୍ଧାରେ ଏ ନାଆ ରବି ହେ

ଦୂରେ କାଳିଜାୟୀ ଭେଟିବେ ପରା,

ଜୀବନେ ବିପଦ ଅନ୍ଧାର ଘୋଟିଲେ

ବହେ ବୀର ବୁକେ ସାହସ ତ୍ୱରା !

କାଲି ପୁଣି ରବି ଉଇଁବ କନକେ

ଉଠିବ ଚିଲିକା ଦି’ଗୁଣେ ଫୁଲି,

କାଲି ପୁଣି ହେବ କନକ ଉତ୍ସବ

ଗାଇବେ ଶିଶୁଏ ଏ କୋଳେ ବୁଲି ।

ଆଲୋକ ଅନ୍ଧାର ଜୀବନ ଖେଳ ଏ

ରଚ ହେ ଚିଲିକା ସଂସାରେ ନିତି,

ଦାଖୁଥନ୍ତୁ ଶିଶୁ- ଖେଳ ଏହି ଭଳି

ତୀର ତରୁ ଶିଳା ଦିବସ ରାତି ।

•••

 

ଉତ୍କଳ ମା’ର ସନ୍ତାନ ଆମେ

 

ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ଦଧୀଚିଦଳ,

ଆମରି ବୁକୁରେ ଦୁର୍ଗମ ଗିରି, ସାଗର, ସରିତ କରିବେ ଖେଳ ।

ଏ କୋଟି କପାଳେ ଆଷାଢ଼-ଅଶନି ବିଦ୍ୟୁତମାଳା ଉଠିବେ ନାଚି,

ଘେନିବେ ଏ ମନେ ନବ ଅବତାର ପ୍ରତାପ, ଶିବାଜୀ, ସବ୍ୟସାଚୀ ।

ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ସାଧକଦଳ,

ମୁକ୍ତ-ସମୀର, ଗଗନଖଣ୍ଡ ଆମରି ଜୀବନ ବିହାର ଥଳ ।

ଏ ଜାତି କପାଳେ ବିଜୟ-ତିଳକ ତରୁଣ ଏ କରେ ଦେବୁ ରେ ଲେଖି

ବରଣ କରିଛୁଁ ମରଣ-ମନ୍ତ୍ର ସତ୍ୟ-ସାଧନ ଜୀବନେ ଶିଖି ।

ଉତ୍କଳ ମା’ର ସନ୍ତାନ ଆମେ, ରକ୍ତଚରଣେ ଯିବୁ ରେ ଚାଲି,

ଯେତେ ଅନାଚାରୀ, ଅତ୍ୟାଚାରୀର ଦୃପ୍ତ-ବକ୍ଷେ ଆଘାତ କରି ।

ଅତୀତ ଜୀବନ ଶିଥିଳ ସ୍ୱପ୍ନ ଭାଜିବ ଚମକେ ନବୀନ ଆଶେ,

ଆମର ଚରଣ-ଚିହ୍ନେ ଫୁଟିବ ସୁର-ପାରିଜାତ ପୁଣ୍ୟ ହାସେ ।

ପଶ୍ଚାତେ ଆମ’ ପଡ଼ିବ ତାପିତ-ଶଙ୍କିତ-ହୀନ-ପତିତ ପ୍ରାଣ–

ମରଣ ଆଗୁଁ ଯେ ବରଇ ମରଣ, ପ୍ରାଣଲୋଭୀ-ନର ଲଜ୍ଜାହୀନ ।

ହାୟ ରେ ଜୀବନ, ହୀନ ଦୁର୍ବଳ ଉତ୍କଳ ମା’ର ବକ୍ଷ ଜଡ଼ି,

ଗୌରବ ତାର କଲେ ଅବନତ, ହାୟ ରେ ! ମାନବ-ଆତ୍ମା ଧରି ।

ଆଜି ଏ ତରୁଣ ଦଧୀଚି-ସଂଘ ଲଂଘିବୁ ଗିରି ସାଗର ପଥ,

ନାଚିବୁ, ଖେଳିବୁ, ଗଢ଼ିବୁ ନୂତନ ତୋଳିବୁ କୀର୍ତ୍ତିସ୍ତମ୍ଭ ଶତ ।

ତରୁଣ ବୁଝିଛୁ ଶକ୍ତି ଆମର, ମରଣ ଆଜିଟି ଶଙ୍କିତରେ,

ଉତ୍କଳ ମା’ର ସନ୍ତାନ ଆମେ, ଜାଳିଛୁ ଅଗ୍ନି ବକ୍ଷ ତଳେ ।

•••

 

ହଳିଆ

 

ରଘୁ ରଥ ଘର ହଳିଆ, ତା ନାମ

ହରିଆ ନାମରେ ଡାକୁ

କିଏ ବା କାହିଁକି ମନ ବଳାଇବ

ତା ଚରିତ ଶୁଣିମାକୁ ?

କେବେ ତା ଜନମ, କାହିଁ ଘର ଧାମ

କିଛି ନାହିଁ ତାର ଲେଖା,

ଲୋକରେ କହନ୍ତି ରଘୁନାଥପୁରେ

ଥିଲା ସେ ଏକଇ ବୋକା ।

ଓଲା ସେ ହରିଆ, ଅତି ବେରସିଆ

ମୁଣ୍ଡରେ ନ ଥାଏ ସର,

ଭୂତ ବୋଲି ତାର ପଛରେ ଡାକିଲେ

ଚାହିଁ ଦିଏ ବଲବଲ ।

ଯେ ଯାହା ବତାଏ କାମ କରୁଥାଏ,

ନ ମାନେ ବରଷା ଖରା,

ଆପଦେ ଡାକିଲେ ଆଗରେ ଚାଲେ ସେ,

ତଥାପି ହରିଆ ଓଲା !

ଅଣାଏ ପଇସା ଗଣିପାରେ ନାଇଁ

ଜାଣିପାରେ ନାଇଁ ବେଳ,

ମାଟି ତାଡ଼ୁଥାଏ ଗଭୀର ବିଲରେ

ରକତକୁ କରି ଝାଳ ।

କଟୀରେ ମେଖଳା ଚିରା କନା ତାର,

ଏକଇ ବସନ ଚିରା,

ଦୁର୍ନାମ ତାର ରଘୁନାଥପୁରେ-

ହରିଆଟା ଖାଲି ଓଲା ।

ହରିଆର ଘର ରଘୁନାଥପୁର

ନବରଙ୍ଗପୁର ତଳେ,

ନବରଙ୍ଗପୁର ଦେଖି ନାଇଁ କେବେ

ଦିନେ ସେ ନୟନ ଡୋଳେ ।

ମୁଠାଏ ଭାତରେ ପେଟ ପୂରେ ତାର

କରେ ଦିନ ରାତି କାମ,

ଦିଅଁ ଦେଉଳର ଧାର ସେ ଧାରେନି,

ନାହିଁ ଭୋଜିଭାତେ ମନ ।

ଶୁଣି ନାଇଁ ଦିନେ ମଧୁର ବଚନ,

ଗାଇ ନାଇଁ ପଦେ ଗୀତ,

 

ରଘୁ ରଥ ଘର ହଳିଆ ହରିଆ

ନବରଙ୍ଗପୁରେ ଖ୍ୟାତ ।

•••

 

ଲାଲ୍‍ କିଲା

 

ଜୟ ତୁ ଦୁର୍ଗ ! ମୋଗଲ ଗର୍ବ

ଲାଲ୍‍ କିଲା, ଲାଲ୍‍ କିଲା,

ସାହାଜାହାନର ପ୍ରୀତି ସଙ୍ଗୀତ

ଯା’କୋଳେ ଉଚ୍ଛୁଳିଥିଲା ।

ଯା ପାଷାଣ ଶୁଣିଥିଲା କିଂକଣୀ

ମମ୍‍ତାଜ ପଦ ଚୁମି

ପାଲଟିଚି ସେଇ ସାରା ଭାରତର

ଅମର ତୀର୍ଥଭୂମି ।

ଲାଲ୍‍କିଲା, ତୋର ପରଦା ସେ ପଟେ

ଇତିହାସେ ଅଛି ଲେଖା–

ସେ ଦିନ ତୋ ପଦେ ଯୋଡ଼ି କରଯୁଗ

କରିଲେ ବିଦେଶୀ ଦେଖ ।

ବଣିକ-ବାହିନୀ ମାଗିଲେ ଭିକ୍ଷା,

ବେପରା ଚାଲିଲା ଦେଶେ,

ଆଜି ଭାରତର ନଭୋମଣ୍ଡଳେ

ସେ ବଣିକ ବାନା ଭାସେ ।

ଲାଲ୍‍ କିଲା, ତୋର ନିବିଡ଼ ନୀରବ

ଗଭୀର ଗର୍ଭେ ଦିନେ

ବିଚାରେ ବନ୍ଦୀ ବାହାଦୂରଶାହା

ହେଲେ ବିଦ୍ରୋହୀ ନାମେ ।

ଏତେ ଦିନ ପରେ ତୋର କୋଳେ ଶୁଭିଲା

‘ଜୟହିନ୍ଦ୍‍’, ‘ଜୟହିନ୍ଦ୍‍’

ଆକୁମାରୀ ହିମାଳୟ ଚହଳାଇ

‘ଇମ୍ପାଲ’ ତଟୁ ‘ସିଂଧୁ’ !!

 

ଦିଲ୍ଲୀର ବିଖ୍ୟାତ ଲାଲ୍‍ କିଲ୍ଲାରେ ନେତାଜୀ-ଚାଳିତ ଜାତୀୟ ସୈନ୍ୟ ସେନାପତିମାନଙ୍କର ବିଚାର ହେଉଥିଲା ବେଳେ ।

•••

 

 

ଗାଈ ଓ ଗରିବ

 

ଗାଈ ଓ ଗରିବ ଦୁଇଟି ଜନ୍ତୁ ଜାଣିଥିବ ତୁମେ ଭାଇ,

ଗରିବ ଦିଅଇ ଖଜଣା ଟିକସ, ଦୁଧ ଦିଏ ଖାଲି ଗାଈ ।

ଗରିବ ଗୁହାରି କିଏ ଶୁଣେ ନାହିଁ, ଗାଈର ହମ୍ବାରବ,

ଜଣେ ପଶୁ, ଜଣେ ମଣିଷ ବୋଲାଏ–କଥାଟା ଅସମ୍ଭବ !

ଯୁଗ-ଯୁଗ ଧରି ଗାଈ ! ତୁମେ ପରା ମଣିଷକୁ ଦେଲ ଦୁଧ

ତୁମ ଦୁଧ ଖାଇ ମଣିଷ କହଇ–ଗଣୁଚି ଅସଲ ସୁଧ !

ତୁମରି ଆଗରେ ତୁମରି ବାଛୁରି ଖୁଣ୍ଟରେ ଦେଇ ବାନ୍ଧି

ଏଇ ଯେ ମଣିଷ ତୁମଠାରୁ ନିଏ ଦୁଧ ଛାଣି ଗୋଡ଼ ଛନ୍ଦି !!

ହେ ଗରିବ ! ତୁମ ତୁଣ୍ଡ ବଚନ, ବିକଳ ମୁଣ୍ଡ ଝାଳ

ଅବୁଝା ରହିଲା, ଅଦେଖା ହୋଇଲା ମହୀତଳେ କାଳ-କାଳ ।

ତୁମେ ଚାଷ କର, ଅସଲ ଫସଲ ଅପରକୁ ଦିଅ ଜାଣି,

ତୁମରି କୁଟୀର ଭୋକ-ଉପାସରେ ତୁମରି କୁଟୀର-ରାଣୀ !

ଗଈ, ତୁମେ କେବେ ଛଳନା ନ କରି ବିତର ସତ୍ୟ ରସ

ତୁମ ଧଳା କ୍ଷୀର କେବେ ପାଲଟିନି କେଉଁ କାଳେ କଳା ବେଶ ।

ହରି ଆଣିନାହଁ ପରଧନ କେବେ ନିଜ ସନ୍ତାନ ପାଇଁ

ଯେ ଥାନେ ରହିଚ, ତାକୁଇ ମାନିଚ ଆପଣା ମୁନିବ, ସାଇଁ !!

ହେ ଗରିବ ଭାଇ ! ସବୁ ଭାରା ସହି ସଂସାର ଅଛ ଚାଳି,

ଯେ ଆସି ବସିଲା ତୁମକୁ ଶାସିଲା, ଶାସନ ଦଣ୍ଡ ଧରି ।

ଏ ଜାତି-ସାଗର କୂଳେ ହେ ଗରିବ ତୁମେ ତରଙ୍ଗ କୋଟି,

ଅତି ନଗଣ୍ୟ କ୍ଷଣିକ ଜୀବନ ଫେନସମ ହସ ଉଠି !

ଗାଈ କ୍ଷୀର ଦିଏ, ଗରିବ ନଖାଏ ଖାଇଲା ହର୍ମ୍ୟବାଲା,

ଗଈ ସନ୍ତାନ ନପୁଂସକରେ ଚାଷ ଉଦ୍ଧାର କଲା ।

ଗରିବ ଆସିଲା, ଲୁହ ବରଷିଲା, ମୁକ୍ତି କାହାର ନାହିଁ,

ଗାଈ ଓ ଗରିବ ଦୁଇଟି ଜନ୍ତୁ, ମନେ ରଖ ତୁମେ ଭାଇ ।

•••

 

ମୁକ୍ତିଯାତ୍ରୀ ଗୋପବନ୍ଧୁ

 

ଚାଲିଛ କି ଆଜି ଯାତ୍ରୀ ହେ, ତବ ଆଗେ ଆଗେ ଚାଲେ ମରଣ

ସୁଦୂରେ ସେ କେଉଁ ବଜ୍ରନିକୁଞ୍ଜୁ ଆସିଛି ମୁକ୍ତି ବରଣ ।

ଜୀବନ-ଯମୁନା ତଟେ ଥରି ଥରି ବଂଶୀ ବାଜୁଛି ବିଧୂରେ,

ଶଂକିତ ବୁକେ ଅଂକିତ କରି ଗାଅ କି ମନ୍ତ୍ର ମଧୂରେ ।

ଥରିଉଠେ ଜଡ଼ ପରାଣ,

ଆଗେ ଚାଲ ବୀର ମୁକ୍ତିସାଧକ, ଏ କି ପଥେ ପଥେ ମରଣ !

ଦୁର୍ବାସା ଆଜି ବୌଶାଖ ବେଶେ ପିଙ୍ଗଳ ଜଟା ବରଷେ,

ଶଙ୍କର ତାର ମଡ଼ା ଦେଶ ବୁକେ ଢଳି ଢଳି ନାଚେ ହରଷେ ।

କ୍ଳନ୍ତ ଚପଳା ହସି ହସି ଯାଏ ରୁଦ୍ର ଅଧରେ କହି କି,

ଅଚପଳ କ୍ଷୀଣ ଶିଥିଳ ଜୀବନ ଯନ୍ତ୍ର ଏ ନାଡ଼ୀ ନାହିଁ କି ?

ଏ କି ହେ ଯାତ୍ରା ଲଗନ ?

ତୁମେ ହସୁଥାଅ ବଜ୍ର-ପୁଲକେ, ଦେଶ କି ଭ୍ରାନ୍ତି-ମଗନ ?

ସ୍ପନ୍ଦନହୀନ ଦେଶେ ଆଜି ବୀର ! ଏ କି ହେ ମନ୍ତ୍ର ପଢ଼ିଲ,

କିବା ଆଶାବାଣୀ ଘେନି ସନ୍ନ୍ୟାସୀ ମରଦେଶେ ଅବତରିଲ,

ଢାଳିଦେଲ କିବା ବିଦ୍ୟୁତ୍ ଚିତା ମୁକ୍ତ କରିଲ ବନ୍ଧୁ ହେ,

ଦେଶେ ଦେଶେ ଶୁଭେ ଦୀପ୍ତ ପୁଲକେ ତବ ଅନ୍ତର ଛନ୍ଦ ହେ ।

ଚାଲ ଚାଲ ଆଜି ଚାଲିଛ ତ ବୀର, ଭିକାରୀ–ହେ ଦୀନତାରଣ;

ପୁଣ୍ୟ ତୁମରି ପଦ ରେଣୁ ଲାଗି ଧନ୍ୟ ହେବ ଏ ମରଣ ।

ହଲାଅ ଚଲାଅ ସୁପ୍ତ ଅବନୀ, ଚାଲ ଚାଲ ବୀର ଚାଲ ହେ,

ଯାଜ୍ଞିକ ତୁମେ, ଯୁଗେ ଯୁଗେ ତବ ଯାତ୍ରାଟି ମହାପ୍ରଳୟେ ।

ତବ ସେ କୁଟୀର ଦୁଆରେ,

ଭେଦି ମରଲୋକ ସଙ୍ଗୀତ ଉଠେ ମରଣମୁକ୍ତ ଜୁଆରେ ।

ଯୁଗ-ଯୁଗ ଧରି ବ୍ୟର୍ଥ ବାସନା ଝରିପଡ଼ିଲା ଯେ ନୀରବେ

ପାଦେ ପାଦେ ଦଳି ଭୀମ କଣ୍ଟକେ କରୁଛ ମଧୁର ଗରବେ ।

କରେ ତବ ଏହି ବିଜୟ-ନିଶାଣ ଉଡୁଛି ହେ ବୀର, ଥରୁଛି,

ଯାତ୍ରା ତୁମରି ପୁଣ୍ୟ ଲଗନେ ଲକ୍ଷ ଜୀବନ ବରୁଛି ।

 

ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ ସ୍ୱର୍ଗତ ଉତ୍କଳମଣି ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କଲାବେଳେ ଉତ୍କଳମଣିଙ୍କୁ ଲକ୍ଷ୍ୟକରି ଏ କବିତା ଲେଖାଯାଇଥିଲା । କବି ସେତେବେଳେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ।

•••

 

ଭଙ୍ଗାମାଠିଆର କଥା

 

ଖସଡ଼ା ପଥର ଗୋଡ଼ ଖସିଗଲା ସନ୍ଧ୍ୟାବେଳେ

ପୋଖରୀକୂଳେ,

ମାଟିର ମାଠିଆ ପଡ଼ିଲା ତଳେ,

ପାଣି ନାହିଁ, ବୁଢ଼ୀ କେମିତି ଚଳେ ?

ଶିଥିଳ ସେ କର ଖାଲି ହେଲା, ବୁଢ଼ୀ ହୋଇଲା ଠିଆ

ଥରିଲା ହିଆ,

ତଳେ ପଡ଼ି କହେ, ପାଣିମାଠିଆ–

ଆଉ କରିବିନି ମୁଁ ଦିଆନିଆ ।

ଆଉ ଯୋଡ଼ି ହୋଇ ପାରିବିନି ଏଇ ବାଟକୁ ଉଠି,

ଥିଲି ମୁଁ ମେଟି

ସେଇ ଗଛମୂଳେ ଗାତରେ ସେଠି

ଖରାକୁ ଦେଖାଇ ଧୂସର ପିଠି ।

ସେଦିନ କିଏ ସେ ଉଭାହେଲେ ମୋର ପାଖରେ ଯାଇ

କଅଣ ପାଇଁ,

ଆର ଦିନ ହାତେ କୋଦାଳ ନେଇ

ହାଣିଲା ମୋ ବୁକୁ ଯାହାର ଦେଇ ।

ଶୁଖିଲା ମାଟି ମୁଁ, ସେଦିନ ତାହାର ଗୋଟିଏ ଝୁଡ଼ିରେ ବସି

ତା ଘରେ ପଶି

ଅଗଣା ଭିତରେ ରହିଲି ରୁଷି,

ମଣିଲି ହୋଇଚି ମୁଁ ପରବାସୀ ।

ସେ ଦିନ ଜାଣିଲି କୁମ୍ଭାର ବୋଲି ନିଆଁ ତାହାରି,

ସଲିଭ ଭରି

ମାଆ, ଝିଅ, ବୋହୂ ସକଳେ ମିଳି

ରଖିଦେଲେ ମୋତେ କାଦୁଅ କରି ।

ଭାବିଲି ସେଦିନ ଶୀତଳ ହୋଇଲା ମୋ ତନୁ ସତେ,

କହିବି କେବେ,

ପାଦେ ଦଳି ସାରି ଚକଟି ହାତେ

ଏ ପାଖ ସେ ପାଖ ଛେଚିଲେ ମୋତେ !

ଏତିକିରେ ମୋର ଯାତ୍ରା ସରିଲା ବିଚାରିଥିଲି

ଫେରିବି ବୋଲି,

ଦେଖିଲି ସକାଳେ କିସ ମୁଁ ହେଲି–

ଘୂରିଲି ଚକରେ କି ଘିରି ଘିରି !!

ଘୂରିଗଲା ମୋର ମାଟିର ଜୀବନ, ବଦଳିଗଲା

ଯାହା ବା ଥିଲା–

ଦେହେ କାଠି କୁଟା, ଗୋଡ଼ି ମଇଳା,

ହୋଇଲି ମାଠିଆ ମାଟିର ବଳା ।

ଏ ପୋଡ଼ା ଜୀବନ, କହିବି କିସ ଗୋ ମାଉସି ଆଉ,

କି ଦାଉଦାଉ

ନିଆଁ ଜଳୁଥିଲା ବିରାଟ ତାଉ,

ଥୋଇଦେଲେ ମୋତେ ଜୀବନ ଥାଉ !

ସୀତା ଥିଲେ ପରା ନିଆଁରେ ପଶି ଗୋ, ପଶିଲି ମୁହିଁ

ଛ’ ଦିନ ତହିଁ,

ନିଆଁ ଲିଭିଗଲା କୁଆଡ଼େ କାହିଁ,

ଅଇଲି ମୁଁ ପୋଡ଼ା ମାଠିଆ ହୋଇ ।

ମାଟିରୁ ହୋଇଲି ‘ମାଠିଆ’ ଗୋଟିଏ ଗରିବ ଦେଶ

ଥିଲି ମୁଁ ଶୋଷେ,

ଖାଲି ଲୋଡ଼ୁଥିଲି ସଲିଳ ପୋଷେ,

କିଣି ନେଲ ତୁମେ ଅଣାକୁ ଶେଷେ ।

ତୁମରି କାଖରେ, ତୁମରି ହାତରେ, ତୁମରି ଶିରେ,

କି ଧୀରେ ଧୀରେ,

ପାଣି ଛଳଛଳ କୋମଳ ଗିରେ

ତୋଷିଲି ପ୍ରଉଢ଼, ତୋଷିଲି ପିଲେ ।

ଏଇ ଯେ ତୁମର ପ୍ରବୀଣ ହାତରେ ଉଠିଲି ଜାଗି,

ସବୁରି ଲାଗି,

କେବେ ଖାଲି ନୋହି ହୋଇଲି ଭାଗୀ

ବାଟୋଇ, ପଥିକ, ରୋଗୀ ଓ ଭୋଗୀ !

ଆଜି ବେଳହେଲା, ତୁମରି ହାତରୁ ଯାଉଚି ଚାଲି

ମୋହରି ପରି,

ମାଟିର ମାଠିଆ ତୁମେ ଗୋ ବୁଢ଼ି !

ଦିନେ ଚାଲିଯିବ ଆଜି ବା କାଲି !!!

•••

 

ସାବରମତୀର ମହାମାନବର ଚରଣ ତଳେ

 

ସାବରମତୀର ମହାମାନବର ଚରଣ ତଳେ

କୋଟି ଜନମନ ବନ୍ଦନା ଗାନ ପ୍ରବାହ ଚଳେ

ଗଳେ ହିମାଚଳ, ଉଚ୍ଛଳେ ସାଗର, ବନ୍ଧ୍ୟ ଲସେ

ନିବିଡ଼ ତିମିର ଭେଦି କି ତରୁଣ ତପନ ହସେ !

ଏଇ ସନାତନ ଦୃଶଦ୍‍ବତୀର ଶାନ୍ତ-ତଟେ

କେତେ ହୋମାନଳ ଜଳିଲା ମାନବ ମୁକ୍ତି ପଥେ,

ବନ ଗିରି ନଭ ଶୁଣିଲା ମାନବ-ମଙ୍ଗଳିକ

ଏଇ ପଥେ ପଥେ ଘେନିଗଲେ କେତ ଜୟ-ତିଳକ ।

ଲାଗିଲା ସମର, ଜାଗିଲେ ଦ୍ୱାରକା ଦେବତା ଥରେ,

ମାଗିଲେ ଭିକ୍ଷା, କପିଳବାସ୍ତୁ ତେଜି କେ ଦୂର

ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁ

ବିତରି ଚାଲିଳେ ପରମ କାମ୍ୟ ମାନବ ପାଇଁ ।

ସବୁରି ଭିତରେ ଗାନ୍ଧି ହେ ! ତୁମ ବରଣ ଆଜି

ଡାକଇ ଦଳିତ, ରେ ପଦାନତ ମାନବରାଜି ।

ପାଲଟିଗଲା ସେ ଦୃଶଦ୍‍ବତୀ ଏ ସାବରମତୀ

ସବୁରି ମରମେ ଜଳଇ ତୁମର ଜୀବନ-ବତୀ ।

କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳା

ବକ୍ଷେ ବହିଲେ ନିର୍ଯ୍ୟାତନର ଦହନ-ଜାଳା

ନିଷ୍ପେଷତର ଆସନ କରିଲ କୁସୁମମୟ

ପୁଲକେ ବିତରି ସତ୍ୟ, ଶାନ୍ତି-କି ବରାଭୟ !

ସାବରମତୀର ତଟ ତରୁ ତଳ କୁଟୀର ପାଶ

ହେ ଦୀନବନ୍ଧୁ, ଚରଖାଚକ୍ର ଧରି ଏ ଦେଶେ

କଟୀ ତଟେ ଦୀନ କୌପୀନ ନିହି ହୋଇଲା ଉଭା,

ଧାଇଁଲେ ଆବାଳ-ବୃଦ୍ଧ ବନିତା-ତରୁଣ-ଯୁବା ।

ପଥ ହେଲା ତବ କଣ୍ଟକମୟ, ଘୋଟିଲା ତସ୍ତୁ

ବିଘ୍ନ ଆସିଲା ସମ୍ମୁଖେ ଭୀମ କୁଳୀଶ ସମ ।

ସେ କଳେ ହେ ଯୋଗି, କି ଅବା ମନ୍ତ୍ର ଗାଇଲ ବସି

ଚମକି ଚାହିଁଲେ ଏଇ ସୁବିପୁଳ ବିଶ୍ୱବାସୀ ।

ସୁମେରୁ କୁମେରୁ ପୂରି ଦୁବ ଦାରୁ ଶିଣିଲେ ଡାକ

ପ୍ଳାବିଲା ତୁମରି ସତ୍ୟବଚନ ଧରଣୀଯାକ ।

ବନ୍ଧୁକ, ତୀର, ତରବାରୀ ମୁନ ହୋଇଲା ଜଡ଼

ତବ ଅଙ୍ଗୁଳି ନିର୍ଦ୍ଦେଶେ ଜାଗି ଭୀଷଣ ଝଡ଼ି ।

ଯୁଗେ ଯୁଗେ ତବ ଅବତାର ଏଇ ଧରଣୀ ପଥେ,

ଯୁଗେ ଯୁଗେ ତୁମେ ମରଣେ ମାରିଚ ବଜ୍ରାଘାତେ ।

ଆଜି ଏ ଯୁଗର ଅର୍ଘ୍ୟ-ପ୍ରଦୀପ ମରମେ ଜଳେ

ସାବରମତୀର ମହାମାନବର ଚରଣ ତଳେ ।

•••

 

ସଦେଇ ଜେନା

 

ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖି,

ଏଇ ଆର ଗାଏଁ ଦିଶଇ ତା’ ଘର ଚାଳ,

ଆଣିବା ତାହାର ଜୀବନ ଚରିତ ଲେଖି,

ବୁଝିବା ତା’ଠାରୁ ଜୀବନର କାରବାର ।

ସେ ଗାଁ ଦେଉଳ ନ ଥିଲା ସେ କାଳେ ତହିଁ,

ସେ ବରଗଛଟା ନ ଥିଲା ସେ ଗାଏଁ ଉଠି,

ଏଇ ବାଟରେ ପଡ଼ିବ ସବୁଜ ଭୂଇଁ,

ନ ଥିଲା ସେ କାଳେ ଏଭଳି କୁସୁମ ଫୁଟି ।

ଗଗନ ଭେଦି ଯେ ନଡ଼ିଆ ମାଳକୁ ମାଳ

ଦୂରେ ଦେଖାଯାଏ ଶିରେ ବହି ଶିରୀଫଳ,

ସେବେ ଛୁଉଁଥିଲା ସେ ଦିନ କୁଟୀର ଚାଳ

ଛାଇକରି ତାର ସାଗୁଆ ପତରଦଳ ।

ସେଇ ଅଗଣାରେ ସେ ମାଟି କୁଟୀର ତଳେ

ସେଦିନ ଲଭିଲା ଜନମ ସଦେଇ ଜେନା

ଆଜି ଏତେ ଦିନେ ବରଷ ବରଷ ପରେ

ଚାଲ ଯିବା ତାର ଚରିତ କରିବା ଘେନା ।

ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖି

ଅତି ପୁରାତନ ଦେଉଳ ପଡୁଚି ଭାଜି,

ସ୍ଖଳିତ ଉପଳ ସ୍ମୃତିକି ରଖିଚି ଟେକି

ପଳିତ ଚର୍ମ, ଗଳିଚି ଦନ୍ତରାଜି ।

ସେଇ ମନ୍ଦିର ଦୁଆର ମୁହଁରେ ବସି

ଡେରିବା ଶ୍ରବଣ ଜାଣିବା ନୀରବେ ଖାଲି,

କେତେ ଲୁଚି କେତେ ଉଠିଲେ ତପନ ଶଶୀ,

କେତେ ଝଡ଼ ଗଲା ସେ ଜେନା ଉପରେ ଚାଲି ।

ସଦେଇ ଚାଲିଲା ବନ୍ଧୁର ଧାରା ତଳେ,

ସଦେଇ ଗାଇଲା ଜୀବନର ସଙ୍ଗୀତ,

ଦରିଦ୍ରତାର ମାଳା ଲମ୍ୱାଇ ଗଳେ

ଦେଖାଇଦେଲା ସେ ପଉରୁଷ ଇଙ୍ଗିତ ।

ପଉଷ ଶୀତରେ, ବଇଶାଖ ଧାରାତଳେ,

ଫଗୁଣ ପବନେ, ଶ୍ରାବଣ ନିବିଡ଼ ଘନେ

ଅତି ବେପରୁଆ ସଦେଇ, ତା ବାହୁ ବଳେ

ପତାକା ଉଡ଼େଇ ଚାଲିଲା ସେ ଯଉବନେ ।

ସଦେଇ ଜେନାକୁ ଦେଖିଯିବା ଚାଲ ଭାଇ,

ଅତି ବେପରୁଆ ଦୁର୍ନାମ ଥିଲା ତାର,

ହାତୀ କିଣୁଥିଲା କିଣିବାକୁ ଯାଇ ଗାଈ

ମନୁ କରିଥିଲା ସଙ୍କୋଚ ପରିହାର ।

ତୁଳି ନିକିତିରେ ନ୍ୟାୟ ସେ ଆଣିଲା କିଣି-

ନ୍ୟାୟରେ କରିଲା ପ୍ରିୟରେ ବିସର୍ଜନ,

ଜୀବନ-ପଥରେ ଧୈର୍ଯ୍ୟରେ ଗଲା ଜିଣି,

ଧନ-ସମ୍ମାନେ କେତେ ପଣ୍ଡିତ ଜନ ।

ତା’ ଚୁଲି ଲିଭିଲା, ଜଳିଲା ଜଠରେ ନିଆଁ,

ତା’ ମନ-ଗଗନେ ଅନ୍ଧାର ଗଲା ମାଡ଼ି,

କରଯୋଡ଼ି ପର ଦୁଆରେ ନ ହୋଇ ଠିଆ

ଦିଗ୍‌ବଳୟରେ ଦେଖିଲା ଅଂଶୁମାଳୀ ।

ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖି,

ଜୀବନ-ମୃତ୍ୟୁ-ସଂଗମ ତୀର୍ଥରେ

ଅଳୀକ ଧରଣୀ ଦେଉଚି ତାହାକୁ ଟେକି

ସେ ପାଖେ କାହାର ଯୁଗଳ ପଦ୍ମକରେ ।

ସେ ଗାଁ ମାଟିରେ ଜନମିଲା ଯେଉଁ ତରୁ

ଝଡ଼ିଲା ପତର, ମଉଳିଗଲା ସେ ଫୁଲ,

ସେ ଫୁଲ ଗନ୍ଧ ପ୍ରସରିବ ପୁର ତଳୁ

ଇତିହାସ ଦିନେ ଦେବ ତା’ ପୂର୍ଣ୍ଣ ମୂଲ ।

ସେ କଥା କହିବ ସମୀରଣ ଶିହରଣେ

ଗାଆଁ ପୁର ତଳେ ବିଲ ବନ ପଦା ବୁକେ,

ସେଇ କଥା ଆଜି ଉଠୁଛି କଲମ ମୁନେ

ଉଦ୍‌ବେଳିତ ଏ ସେ ଗାଆଁ କବିର ମୁଖେ ।

•••

 

ପାଇକର ଯୁଦ୍ଧଯାତ୍ରା

 

ସେଦିନ ଅଶିଣର ରଜନୀ ସୁଗଭୀର ବିଜୁଳି ହସେ,

କୁଳିଶ ଉଠେ ଥରି ପଲ୍ଲୀପୁର ଧରି ଓଡ଼ିଶା ଦେଶେ ।

ଶୁଭିଲା ରଣଭେରୀ ବଣପାହାଡ଼ ଚିରି ସେ ଭଳି ଦିନେ

ଉଠିଲେ କିଏ କେତେ ସମର-ଜାଗ୍ରତେ ଆକୁଳ ମନେ ।

ଲାଗିଲା ପୁରେ ପୁରେ ସେ ଘୋର ଅନ୍ଧାରେ ଚରଚା ଖାଲି,

ଦୂରେ ସେ ଗଜପତି ଡାକି ପଠାଇଛନ୍ତି ଯିବାକୁ କାଲି ।

ଡାକୁଆ ଦେଲା ଡାକ, ଉଠିଲେ ପୁରଯାକ, ଡେରିଲେ କାନ,

‘‘ଉଠରେ ଉଠ ଭାଇ, କରେ ଖଡ଼ଗ ବହି ରଖିବ ମାନ ।

ସମର-କାଙ୍ଗାଳ ଧର ହେ ଧନୁଶର, ପାହିବ ରାତି,

ଦୁଆରେ ବଇରୀ ସେ ଆସଇ ଉପହାସେ ସମରେ ମାତି ।

ବିଶୋଇ ଆସ ଉଠି, ଖଡ଼ଗେ ଦେଇ ମୁଠି ପଧାନେ ଆସ,

କି କର ପରିଡ଼େ ହେ, ଆହୁରି ବେଳ ସହେ ! ନ ଲାଗେ ପ୍ରାସ ।

ଉଠ ହେ ସୁନ୍ଦରା, ରଜନୀ ଥାଉ ପରା ଲାଗିବ ରଣ,

କାହିଁ ସେ ଶାସମଲ, ନ ହୁଅ ଚଞ୍ଚଳ ନ ଗାଅ ଗାନ’’ ।

ବାଜିଲା ରଣଭେରୀ, ଉଠିଲା ଥରି ଥରି, ସେ ପୁରେ ପ୍ରାଣ

ଘରକେ ଜଣେ ଜଣେ ସମର ପ୍ରଙ୍ଗଣେ ଜୀବନ ଦାନ ।

ଶତେକ ଯୁବାଜନ ଏକୁ ବଳଇ ଆନ ଗଠନ ରୂପେ,

ସେ ଶତ ମୁଖେ ହସେ, ଜୀବନ ପ୍ରୀତି ରସେ କି ଅପରୂପେ ।

ସେ ଯୁବା ହୃଦେ ତଳେ ଉଚ୍ଛୁଳେ କଳ କଳେ ଜୀବନ ନଈ,

ଜନନୀ ପ୍ରୀତିଭରେ ସିକ୍ତ କରିବେ ରେ ସମରଭୂଇଁ ।

ଶ୍ରାବଣ ଅନ୍ଧାରେ, ପଲ୍ଲୀ ତରୁ ତଳେ ସକଳେ ଉଭା,

କରକେ କଳବାଳ, କରକେ ଶହେ ଢାଲ ଲାଗିଲା ସଭା ।

କହିଲେ ଯୁବା କେହି, ଆଉ ତ ରାତି ନାହିଁ ଚାଲ ହେ ଚାଲ,

ମୋ ବାପା ଯାଇଥିଲେ ଏପରି ରଜନୀରେ ଶୁଣିଛି ବୀର ।

ସିଂହଭୂମେ କାହିଁ, ସମରେ ପ୍ରାଣ ଦେଇ, କହନ୍ତି ମାଆ,

ଯିବି ମୁଁ ଆଜି ଚାଲି ସେ ପଦ ଅନୁସରି ପ୍ରଭୁ ମୋ ସାହା ।

କହଇ ଆନ ବୀର, ଉଚ୍ଚେ ଟେକି ଶିର ‘‘ଏ ବାହୁ ତଳେ

ଚାଳିଶ ବରଷର ବୀର-ରକତଧାର ଉଛୁଳି ଖେଳେ ।

ମୋ ପରି ଦଶ ଜଣ ଅରପିଛନ୍ତି ପ୍ରାଣ ସମର ଶେଯେ,

ନ ଜାଣେ କିଏ ଲେଶେ, ଶତ୍ରୁଶଲ ଯଶେ ଓଡ଼ିଶା ଦେଶେ ?’’

କହେ କେ ଆନ ଉଠି ଖଡ଼ଗେ ଦେଇ ମୁଠି ଫୁଲାଇି ଛାତି,

ଦୂରେ ସେ କାଞ୍ଚିଗଡ଼େ ମୋହରି ଭାଇ ମଲେ ଫୁଟାଇ ଛତି ।

କେ କହେ ହସି ହସି ‘‘ସେ ଦିନ ମୋ ମାଉସୀ ପହିଲି ପାଳି

ଆସିଲା ଘରେ, ମୋର ମଉସା ଗଲେ ଦୂରେ ବିଦେଶେ ଚଳି ।

ଫେରିଲା ଦଶ ମାସେ ଖବର ଅବଶେଷେ ଶୋଇଲେ ରଣେ,

ସେ ଥର ଗଜପତି ଗଉଡ଼ ଦେଶ ଜିତି ଥିଲେଟି କ୍ଷଣେ’’ ।

ଅଳପେ ଟେକି ଶିର କହିଲା କେଉଁ ବୀର ‘‘ଶୁଣିନ ବାରେ ?

ଦିନକେ ଅଶୀ କୋଶ ବରଜି ଭୋକ ଶୋଷ ମୋ ବାପା ଥରେ ।

ଚଳାଇଥିଲେ ଘୋଡ଼ା, ପଡ଼ିଲେ ପଥେ ଧରା, ବଇରୀଗଣ

ଖବର ଦେବା ଆଶେ ବନ୍ଦୀ କଲେ ମାସେ କି ହଇରାଣ ।

ନ କହି ପଦେ ବାଣୀ ମୋ ବାପା ବୀରମଣି, ତେଜିଲେ ଦେହ,

ସହିଲେ ଦୁଃଖ ଯେତେ, କିଏ ସେ ଦେଶେ ଏତେ ସହିଛି କହ ?’’

ବାହାରେ ମାରି କର କିଏ ସେ ବୀରବର ତେଜିଲା ତାନ

‘‘ଦକ୍ଷିଣ କବାଟରେ ବୁକୁଟି ଲୁହା ବାଡ଼ କୁଳିଶୁ ଟାଣ’’ ।

ଆବର କହେ କହୁ ‘‘ବୁକେ ବୁହାଇ ଲହୁ ଲେଖିଲେ ଚିଠି

ପାଇକ ରାୟ କୁଳେ ସେ କାଳେ ଥିଲେ ବୀରେ ଗରବେ ମାତି ।

ରକତ ଚିଠି ଧରି ସମରେ ଗଲେ ଚଳି ସେ ବୀର ସୁତ

କହିଲେ ବାପା ମୋର-ଲାଗରେ ଥର ଥର ଆସିଛି ମୁଁ ତ ।

ବରଷ ଦଶ ମତେ, ବତାଅ ଯାହା ମୋତେ ପାଳିବି ଏଥି

ପାଇକରାୟ ସୁତ ! ନ ଫେରିପାରେ ସେ ତ ନ ଜାଣେ ଭୀତି’’ ।

ଏପରି କେତେ କଥା, କି ସେ ଗାଇବ ତା କଲମ ମୁନେ

କହିଲେ ବିଶ୍ୱାଳ, ବାହିନୀପତି ବୀର, ଗରବପଣେ ।

କହିଲେ ଚମ୍ପତି, କିଏ ଯେ କେତେ ଉଠି ଗାଇଲେ ଗୀତ

ଫାଟିଲା ସିନ୍ଦୂରା, ହସିଲା ଅବା ଧାରା ବିଜୟେ ମାତି ।

ସମର-ଯାତ୍ରା ଏ ଚାଲିଲେ ନିର୍ଭୟେ ପଲ୍ଲୀ ବୀରେ,

କେ ଗାଏ ବାପଗୁଣ, ଧରଇ ଭାଇ ନାମ ଆବେଗଭରେ ।

ପଛରେ ହୁଳହୁଳି ନାରୀଏ ଦେଲେ ତୋଳି ଶଙ୍ଖ ବାଜେ,

ରକତ ଉଠେ ତାତି, ଥରିଲା ବସୁମତୀ ସମର ସାଜେ ।

ଫେରିବା ଆଶା ତିଳେ ନାହିଁ ଯେ ହୃଦୟରେ ବିଜୟ ବିନା,

ମରଣେ ନାହିଁ ଭୟ ଓଡ଼ିଆ ଦୁର୍ଜୟ ଜଗତଜିଣା ।

Image